ଭୁବନେଶ୍ବର: ସିବିଆଇ (CBI) କାର୍ଯ୍ୟାଳୟରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ର (Industrialist Mahima Mishra) । ଭୁବନେଶ୍ବର ସ୍ଥିତ ସିବିଆଇ ଅଫିସରେ ସେ ହାଜର ହେବା ପରେ ତାଙ୍କୁ ୨୫ଲକ୍ଷ ଟଙ୍କା କାରବାର ମାମଲାରେ ଚାଲିଛି ପଚରାଉଚୁରା । କୋଲପ୍ଲଟ ୨୫ ଲକ୍ଷ ଲାଞ୍ଚ କାରବାର ମାମଲାରେ ସିବିଆଇ ଏଯାବତ ୪ ଜଣଙ୍କୁ ଗିରଫ ପରେ ରିମାଣ୍ଡରେ ନେଇଛି ସିବିଆଇ । ଏହାସହିତ ଏହି ମାମଲାରେ ୮୩ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ସିବିଆଇ । ଏହାସହ ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ମଧ୍ୟ ଜେରା କରୁଛି ସିବିଆଇ ।
ଠିକାଦାର ସୁମନ୍ତ ରାଉତ, ପାରାଦ୍ବୀପ ପୋର୍ଟର ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, KCT ଗ୍ରୁପ ମ୍ୟାନେଜର ଶଙ୍ଖସୁବ୍ର ମିତ୍ତ୍ର ଓ OSLର ଡିଜିଏମ ଅପରେସନ ସୂର୍ଯ୍ୟ ନାରାୟଣ ସାହୁଙ୍କୁ କୋର୍ଟ ଚାଲାଣ କରିଥିଲା ସିବିଆଇ । ଗିରଫ ପରେ ଆସନ୍ତା ୯ ତାରିଖ ଯାଏଁ, 3 ଜଣଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ସିବିଆଇ । ଏନେଇ ଲାଞ୍ଚ କାରବାର ତଥ୍ୟ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ହେବ ପଚରାଉଚରା । ରିମାଣ୍ଡରେ ଆସିଥିବା ୩ ଅଭିଯୁକ୍ତ ହେଲେ ପାରାଦ୍ୱୀପ ପୋର୍ଟର ଚିଫ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସ, ଠିକାଦାର ତଥା ମିଡିଲମ୍ୟାନ ସୁମନ୍ତ ରାଉତ, ଓଏସଏଲ ସଂସ୍ଥାର ଡିଜିଏମ ଅପରେସନ ସୂର୍ଯ୍ୟ ନାରାୟଣ ସାହୁ ।
ଏହି ବେଆଇନ ଆର୍ଥିକ କାରବାର ମାମଲାରେ ସିବିଆଇ ନୋଟିସ୍ ପରେ ଶିଳ୍ପପତି ମହିମା ମିଶ୍ର ଅଫିସରେ ହାଜର ହୋଇଛନ୍ତି । ତାଙ୍କୁ ଏବେ ବି ପଚାରଉଚୁରା କରୁଛି ସିବିଆଇ । ତେବେ ହାଜର ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମହିମା କହିଛନ୍ତି ଯେ," ସିବିଆଇ ନୋଟିସ୍ ଜାରି କରିଥିଲା । ତେବେ କାହିଁକି ଡାକିଛି ଜାଣିନି । ଆଇନ ଉପରେ ଶତପ୍ରତିଶତ ଭରସା ରହିଛି ।"
ତେବେ ସୂଚନା ଥାଉ କି ଗତକାଲି ମହିମାଙ୍କ ବିଭିନ୍ନ ସ୍ଥାନରେ ଥିବା ଅଫିସ ଓ ବାସଭବନରେ ସିବିଆଇ ରେଡ଼ କରିଥିଲା । ତାଙ୍କର କଟକସ୍ଥିତ OSL(Odisha Stevedores Limited) କାର୍ଯ୍ୟାଳୟ ସମେତ କଟକ ଓଡ଼ିଆ ବଜାରସ୍ଥିତ ବାସଭବନ, ପାରଦ୍ବୀପ ପୋର୍ଟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ମଧ୍ୟ ରେଡ଼ ହୋଇଥିଲା ।
ଏହା ବି ପଢନ୍ତୁ- CBI ଜାଲରେ ଶିଳ୍ପପତି ମହିମା ମିଶ୍ର
ପାରଦ୍ବୀପ ବନ୍ଦରର ଜଣେ ଅଧିକାରୀ ଓ ଠିକାଦାର ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗ ରହିଛି । ଏହି ମାମଲାରେ ଛାନଭିନ୍ ବେଳେ ଶିଳ୍ପପତି ମହିମା ମିଶ୍ରଙ୍କ ଅଫିସ ଓ ବାସଭବନ ଉପରେ ଚଢ଼ାଉ କରିଛି CBI । ଏତେଗୁଡ଼ାଏ ଟଙ୍କା ଲାଞ୍ଚ ପଛର କାରଣ ଖୋଜୁଛି CBI ଟିମ୍ । ଏହି ଲାଞ୍ଚ କାରବାରରେ କେହି ଜଣେ ମଧ୍ୟସ୍ଥି ରହିଥିବା ସନ୍ଦେହ କରୁଛି ତଦନ୍ତକାରୀ ଦଳ ।
ଅନ୍ୟପଟେ ୨୦୧୬ ମସିହାରୁ ମହିମା ମିଶ୍ରଙ୍କୁ ଥାଇଲାଣ୍ଡ୍ରୁ ଗିରଫ କରିଥିଲା ପୋଲିସ । ହାଇଦ୍ରାବାଦର ମହେନ୍ଦ୍ର ସ୍ବାଇଁ ନାମକ ଶିଳ୍ପପତି(stevedoring)ଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ରହିଛନ୍ତି ମହିମା ମିଶ୍ର । ତେବେ ୨୦୧୯ରେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ ।
କିପରି ସାମନାକୁ ଆସିଲା ଘଟଣା ?
CBIର ପ୍ରେସ ବିଜ୍ଞପ୍ତି ଅନୁସାରେ ପାରାଦ୍ବୀପ ପୋର୍ଟର ଚିଫ ମେକାନିକାଲ ଇଞ୍ଜିନିୟର CME ସରୋଜ ଦାସଙ୍କ ବିରୋଧରେ ଲାଞ୍ଚ କାରବାର କରୁଥିବାର ଅଭିଯୋଗ ରହିଥିଲା । ନିୟମିତ ଭାବେ ଲାଞ୍ଚ ନେଇ ପୋର୍ଟରେ କାର୍ଗୋ ଅପରେଟ କରୁଥିବା ଓ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଉଥିଲେ । ତେବେ କୋଲ ଅନଲୋଡିଙ୍ଗ କଲାବେଳେ OSLର ପାରାଦ୍ବୀପ ପୋର୍ଟର କନଭେୟର ବେଲ୍ଟକୁ କ୍ଷତି ହେଉଥିଲା । ଏହାର ମରାମତି ଅତ୍ୟାଧିକ ବ୍ୟୟବହୁଳ ଥିଲା । ଏଥିପାଇଁ କନଭେୟର ବେଲ୍ଟ ମରାମତି ନେଇ CME ସରୋଜ ଦାସ ୨ ମଧ୍ୟସ୍ଥିଙ୍କ ଦ୍ବାରା ୬୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ମିଡିଲମ୍ୟାନ ସୁମନ୍ତଙ୍କ ଜରିଆରେ ଟଙ୍କା ମାଗିଥିବା ନେଇ ସିବିଆଇ ନିକଟରେ ଏକ ଅଭିଯୋଗ ହୋଇଥିଲା । ଯାହାକୁ ଟ୍ରାକ କରୁ କରୁ ସୁମନ୍ତ OSL ଠାରୁ ୨୫ ଲକ୍ଷ ଟଙ୍କା ନେଇ କଟକରୁ CMEଙ୍କୁ ଦେବାକୁ ପାରାଦ୍ବୀପ ଆଣିଥିଲା ।
ସେଥିରୁ ଭୁବନେଶ୍ବରରେ ଏକ ଫ୍ଲାଟ ବୁକିଂ ପାଇଁ ନିଜ ପାଖରେ ୧୦ ଲକ୍ଷ ଟଙ୍କା ରଖିଥିଲେ । ଏହି ୧୦ ଲକ୍ଷ ଏକ ରିଅଲ ଇଷ୍ଟେଟରେ ଦେବା ପାଇଁ ଆଣିଥିଲା । ଏହି ଟଙ୍କାରେ ଭୁବନେଶ୍ଵରରେ ଏକ ଫ୍ଲାଟ୍ ସରୋଜ ଦାସଙ୍କ ପାଇଁ ବୁକ୍ ହୋଇଥିଲା । ଯାହାର ଏହି କାରବାର ମାମଲାରେ ସୁମନ୍ତକୁ ରେଡ ହ୍ୟାଣ୍ଡରେ ଧରିଥିଲା । ଧରିବା ପରେ ତା' ପାଖରୁ ୫ ଲକ୍ଷ ଲାଞ୍ଚ ଟଙ୍କା ଜବତ କରିଥିଲା । ପରେ ଯାଞ୍ଚ ବେଳେ ଅଧିକ ୧୮ ଲକ୍ଷ ୩୦ ହଜାର ଲାଞ୍ଚ ଟଙ୍କା ମିଳିଥିଲା । ଏପରିକି CBIର ରେଡ ସମୟରେ ବିଭିନ୍ନ ସ୍ଥାନରୁ ୨୦ ଲକ୍ଷ ୨୫ ହଜାର ନଗଦ ଟଙ୍କା, ଜୁଏଲାରୀ ଓ ଇନଭେଷ୍ଟମେଣ୍ଟ କାଗଜ ଜବତ କରିଥିବା ତଥ୍ୟ ମିଳିଥଲା ।
ପରେ ୧୫ଟି ସ୍ଥାନରେ ରେଡ୍ ବେଳେ ପରେ ଡିଜିଏମ ଅପରେସନ ଓ OSLର ସୂର୍ଯ୍ୟ ନାରାୟଣ ସାହୁ ଠାରୁ 41 ଲକ୍ଷ ଟଙ୍କା ଜବତ କରିଛି ସିବିଆଇ । ତେବେ ପୁରା ରେଡରେ ଏଯାବତ 84ଲକ୍ଷ 50ହଜାର ଟଙ୍କା ଜବତ ହୋଇଛି । ସିବିଆଇର FIRରେ ୪ ଜଣଙ୍କ ଗିରଫ ଅଭିଯୁକ୍ତ ସହ KCT ଗ୍ରୁପର ଦେବପ୍ରିୟ ମହାନ୍ତି, OSLର ଚର୍ଚ୍ଚିତ ମିଶ୍ର ସହ ଅନ୍ୟ ନା ଯୋଡି ହୋଇଛି । ସିବିଆଇ ଏମାନଙ୍କୁ ପଚରାଉଚରା କରିସାରିଛି । ଏନେଇ ମହିମା ମିଶ୍ରଙ୍କୁ ମଧ୍ୟ ପଚରାଉଚୁରା ଜାରି ରହିଛି। CBIର ନୋଟିସ ଆଧାରରେ ମହିମା ମିଶ୍ର ସିବିଆଇ ଅଫିସରେ ହାଜର ହୋଇ ନିଜର ବୟାନ ରଖିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର