ଭୁବନେଶ୍ବର: କିନ୍ନର । ଶଦ୍ଦ ଶୁଣି କେହି କେହି ନାକ ଟେକନ୍ତି ତ କେହି କେହି ଦୂରରୁ ଦେଖି ରାସ୍ତା କାଟନ୍ତି । ହେଲେ ସବୁ କିନ୍ନର ଭିକ୍ଷାବୃତ୍ତି କରନ୍ତି ନାହିଁ କି ସବୁ କିନ୍ନର କାହାକୁ ହଇରାଣ ହରକତ କରନ୍ତି ନାହିଁ । ଏମିତି କିଛି କିନ୍ନର ଅଛନ୍ତି ଯିଏ, ନିଜ ଗୋଡରେ ଛିଡା ହୋଇ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହି ରିପୋର୍ଟରେ ଦେଖିବା ରାଣୀ କିନ୍ନରଙ୍କ କାହାଣୀ ।
ରାଣୀ କିନ୍ନର । ମନରେ ଅଦମ୍ୟ ଇଚ୍ଛାକୁ ନେଇ ଚାଲି ଆସିଥିଲେ ସମାଜର ମୁଖ୍ୟ ରାସ୍ତାକୁ । କିନ୍ନର ବୋଲି ଟାହିଟାପରାକୁ ତିଳେ ମାତ୍ର ଖାତିର ନକରି ନିଜେ ସ୍ବାବଲମ୍ବୀ ହେବା ନିଶା ତାଙ୍କୁ ଆଜି ଏକ ନୂଆ ପରିଚୟ ଦେଇଛି । ଆମ ସମାଜରେ ସବୁବେଳେ ପୁଅ କିମ୍ବା ଝିଅଙ୍କୁ ଅଧିକ ପ୍ରାଥମିକତା ଦିଆଯାଏ । ଟ୍ରାନ୍ସଜେଣ୍ଡର ବା କିନ୍ନରଙ୍କୁ ଏ କ୍ଷେତ୍ରରେ ଟିକେ ଆଡ ନଜରରେ ଦେଖାଯାଏ । ମାତ୍ର ରାଣୀ କିନ୍ନର ଉବେର ଗାଡି ଚଳାଇ ଭାରତର ପ୍ରଥମ 5 ଷ୍ଟାର ରେଟିଂ ଡ୍ରାଇଭର ହୋଇଛନ୍ତି, ଯାହା ପାଇଁ ଓଡିଶା ଆଜି ଗର୍ବିତ ।
ପ୍ରତ୍ୟେକ ସଫଳତା ପଛରେ ଥାଏ ଏକ ସଂଘର୍ଷମୟ କାହାଣୀ । ରାଣୀଙ୍କ କ୍ଷେତ୍ରରେ ବି ସମାନ ଘଟଣା ଦେଖିବାକୁ ମିଳିଛି । ପ୍ରଥମେ କୁକୁଡ଼ା ଫାର୍ମରେ କାମ କରିବା ପରେ, ଅଟୋ ଚଳାଇ ନିଜର ଜୀବନର ସଙ୍ଘର୍ଷ ଆରମ୍ଭ କରିଥିଲେ । ଆଉ ଆଜି ଉବେର ଭଳି ନାମୀଦାମୀ କ୍ୟାବ କମ୍ପାନୀର 5 ଷ୍ଟାର ରେଟିଂ ଡ୍ରାଇଭର ହୋଇ ଏହା ପ୍ରମାଣିତ କରିଛନ୍ତି ସେ ବି ସ୍ବାବଲମ୍ବୀ, ସେ ବି ସମାଜର ମୁଖ୍ୟ ସ୍ରୋତର ଏକ ଧାରା । ତେବେ ସବୁଠାରୁ ବଡ କଥା ହେଲା ଉବେର କମ୍ପାନୀ ସହଯୋଗରେ ନିଜ ଗାଡିରେ ସେ ଯାତ୍ରୀଙ୍କୁ ସୁବିଧା ଯୋଗାଉଛନ୍ତି ।
କିନ୍ନର ରାଣୀ ସମାଜ ସହ ଆମମାନଙ୍କ ପାଇଁ ଏକ ଗର୍ବ ଆଣିଛନ୍ତି । କେବଳ ଏତିକି ନୁହେଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବାରେ ସଫଳ ହୋଇଛନ୍ତି ରାଣୀ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ