ଭୁବନେଶ୍ବର: ଓଡ଼ିଶାରେ ଓଡ଼ିଆରେ ମିଳିବ ଟ୍ରେନ ଟିକେଟ୍ । ପ୍ରଥମକରି ଓଡ଼ିଆ ଟିକେଟ ନେଇ ଯାତ୍ରୀ କରିବେ ରେଳଯାତ୍ରା । ରାଜ୍ୟରେ ରେଳ ସେବା ଆରମ୍ଭ ହେବାର 120 ବର୍ଷ ପରେ ଓଡିଆ ଭାଷାରେ ଲେଖାଥିବା ଟିକେଟ ପାଇବେ ଯାତ୍ରୀ । ରେଳ ବିଭାଗର ଏଭଳି ପଦକ୍ଷେପକୁ ନେଇ ରାଜ୍ୟବାସୀଙ୍କ ମନରେ ବେଶ ଉତ୍ସାହ ଦେଖାଯାଇଛି । ଶନିବାର ପୂର୍ବତଟ ରେଳପଥ ମୁଖ୍ୟାଳୟଠାରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଭାଷାରେ ଛପା ଟିକେଟକୁ ଉଦଘାଟନ୍ କରିବେ ।
ଓଡ଼ିଶାରେ ଥିବା ୩୧୭ଟି ରେଳ ଷ୍ଟେସନ୍ ମଧ୍ୟରୁ ପୂର୍ବତଟ ରେଳପଥ ସମେତ ଦକ୍ଷିଣ ପୂର୍ବ ରେଳପଥ ଓ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳପଥ ଜୋନ ଅଧୀନରେ ଥିବା ସମସ୍ତ ରେଳ ଷ୍ଟେସନରେ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ରେଳ ଟିକଟ ଉପଲବ୍ଧ ହେବ। ପୂର୍ବରୁ ଇଂରାଜୀ ଓ ହିନ୍ଦୀ ଭାଷାରେ ଟିକେଟ ମିଳୁଥିବା ବେଳେ ଏବେ ଓଡ଼ିଆ ମଧ୍ୟ ସାମିଲ ହେବ ।
ଚଳିତବର୍ଷ ଉତ୍କଳ ଦିବସରେ ଏହି ଘୋଷଣା କରାଯାଇଥିଲା । କିନ୍ତୁ ନିର୍ବାଚନ ଆଚରଣବିଧି ଲାଗୁ ହେବା ଫଳରେ ଏହା ସ୍ଥଗିତ ରହିଥିଲା । ଆସନ୍ତାକାଲି ଅର୍ଥାତ୍ ଶନିବାର ଏହି ସୁବିଧା ପୁନର୍ବାର ମିଳିବାକୁ ଥିବା ବେଳେ ଏହାକୁ ଉଦଘାଟନ କରିବେ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ବରରୁ ବ୍ୟୁରୋ ଚିଫ୍, ଇଟିଭି ଭାରତ