ଭୁବନେଶ୍ବର: ଏଣିକି ଠିକ୍ ସମୟରେ ନିଲାମ ହେବ ଖଣି । ଖଣି ଓ ଖଣିଜ କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀ ଗୁଡିକର ଚିନ୍ତା ଦୂର କରିବାକୁ ନିଆଯାଇଛି ଏହି ନିଷ୍ପତ୍ତି । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ତରଫରୁ ହୋଟେଲ ମେ’ ଫେୟାରରେ ଆୟୋଜିତ 'ଇଣ୍ଡିଆନ ମାଇନିଂ କନକ୍ଲେଭ-୨୦୧୯' କାର୍ଯ୍ୟକ୍ରମରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।
ସେ ଏହା ମଧ୍ୟ କହିଛନ୍ତି ଯେ, ଖଣି ନିଲାମ ପ୍ରତି ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଏଥିପାଇଁ ଖଣି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହା ପୂର୍ବରୁ 3ଟି ଲୁହା ପଥର ଖଣି, ଗୋଟିଏ ମାଙ୍ଗାନିଜ, ଦୁଇଟି କ୍ରୋମାଇଟ୍ ଓ ଗୋଟିଏ ଗ୍ରାଫାଇଟ୍ ଖଣିରୁ ଚୂନପଥର ନିଲାମ ହୋଇସାରିଛି । ଆଉ ୩୧ଟି ଖଣି ବିଭିନ୍ନ ପର୍ଯ୍ୟାୟରେ ନିଲାମ ହେବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ସେଥିମଧ୍ୟରୁ ୨୭ଟି ଲୁହା ପଥର ଖଣି ହୋଇଥିବାବେଳେ ଦୁଇଟି ଗ୍ରାଫାଇଟ୍ ଓ ଦୁଇଟି ମାଙ୍ଗାନିଜ ଖଣି ରହିଛି ।
ଖଣି ପାଇବା ପରେ ଉତ୍ତୋଳନ କାର୍ଯ୍ୟରେ ସଦ୍ୟତମ ପ୍ରଯୁକ୍ତିକୁ ବ୍ୟବହାର କରିବା ଉପରେ ଗୁରୁତ୍ବ ଦେବାକୁ ଖଣି ମନ୍ତ୍ରୀ ଶିଳ୍ପ ପ୍ରତିନିଧିଙ୍କୁ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଏଥିପାଇଁ ପରିବେଶକୁ ଯେଭଳି କମ୍ କ୍ଷତି ପହଞ୍ଚିବ, ତାହା ନିଶ୍ଚିତ କରିବା ଉପରେ ଗୁରୁତ୍ବ ଦିଆଯାଉ ବୋଲି ସେ କହିଛନ୍ତି । ଖଣି କାର୍ଯ୍ୟକୁ ସୁରୁଖୁରୁରେ ଆଗକୁ ବଢ଼ାଇବା ଲାଗି କେନ୍ଦ୍ର ଓ ରାଜ୍ୟର ଯେଉଁ ଏଜେନ୍ସି ଗୁଡ଼ିକ ରହିଛି ସେମାନଙ୍କର ସହାୟତା ନେବାକୁ ସେ ଖଣି କମ୍ପାନୀ ଗୁଡ଼ିକୁ ଅନୁରୋଧ କରିଛନ୍ତି । ରାଜ୍ୟରେ ଏକ ଫରେଷ୍ଟ୍ ସେଲ୍ ଖୋଲାଯାଇଛି ଯାହା କମ୍ପାନୀ ଗୁଡ଼ିକୁ ବିଭିନ୍ନ ପ୍ରକାର ମଞ୍ଜୁରୀ ହାସଲ କରିବାରେ ସାହାଯ୍ୟ କରୁଛି । ଏହି ସେଲ୍ ଜଣେ ଡିଏଫଓ ଏବଂ 2 ଜଣ ସହକାରୀ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେଉଛି ।
ସେହିପରି ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ଓଡ଼ିଶା ହେଉଛି ଇସ୍ପାତର ହବ୍ । ଆଗାମୀ କିଛି ମାସ ଭିତରେ ରାଜ୍ୟରେ ଥିବା ଖଣି ଗୁଡ଼ିକର ମାଲିକ ପରିବର୍ତ୍ତନ ହେବାର ବହୁତ ସମ୍ଭାବନା ରହିଛି । ସେହିଭଳି ପରିସ୍ଥିତିରେ ପୁରୁଣା ମାଲିକଙ୍କ ପାଖରେ ଥିବା ମଞ୍ଜୁରୀ ନୂଆ ମାଲିକଙ୍କୁ ହସ୍ତାନ୍ତର କରାଯିବ । ଯଦ୍ବାରା ଉତ୍ପାଦନରେ କୌଣସି ପ୍ରକାର ବାଧା ସୃଷ୍ଟି ହେବ ନାହିଁ । କେବଳ ସେତିକି ନୁହେଁ ଖଣି ଉତ୍ପାଦନକୁ ନେଇ କୌଣସି ପ୍ରକାର ଚିନ୍ତା ନ କରିବାକୁ ସେ ଖଣି କମ୍ପାନୀକୁ କହିଛନ୍ତି ।
'ଇଣ୍ଡିଆନ ମାଇନିଂ କନକ୍ଲେଭ-୨୦୧୯' ଆୟୋଜିତ କାର୍ଯ୍ୟକ୍ରମରେ ଆଇସିସି, ଓଡ଼ିଶାର ଇସ୍ପାତ ଓ ଖଣି କମିଟିର ଆବାହକ, ମନିଷ ଖରବନ୍ଦା ଖଣି ଶିଳ୍ପର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଖଣି ଆବଣ୍ଟନର ଦୁଇ ବର୍ଷ ପର୍ଯ୍ୟନ୍ତ ଖଣି କାର୍ଯ୍ୟ ଆରମ୍ଭ ନକରିବା ଲାଗି ଯେଉଁ ନିୟମ ରହିଛି ସେଥିରେ ପରିବର୍ତ୍ତନ ଆଣିବାକୁ ସେ ଆହ୍ବାନ କରିଛନ୍ତି । କୋଇଲା ବ୍ଲକ୍ ନିଲାମବେଳେ କୋଇଲାର ବ୍ୟବହାରକୁ ନେଇ ଯେଉଁଭଳି ନିୟମ ରହିଛି, ଅନ୍ୟ ଖଣି ଗୁଡ଼ିକ ପାଇଁ ସେଭଳି ନିୟମ ନାହିଁ । ସେହି ନିୟମକୁ ଅଣ କୋଇଲା ଖଣି ପାଇଁ ଲାଗୁ କରାଗଲେ ଭଲ ହେବ ବୋଲି ଆଲୋଚନା ବେଳେ ମତ ପ୍ରକାଶ ପାଇଛି । ଯଦି ଏପରି ନହୁଏ ତେବେ କିଛି ଲୋକଙ୍କ ପାଖରେ ଅଧିକ ଖଣିଜ ପଦାର୍ଥ ରହିବା ସହ ସେମାନେ ଏହାକୁ ମହଜୁଦ ରଖିବେ । ଏହା ଦ୍ବାରା କ୍ଷୁଦ୍ର କମ୍ପାନୀଗୁଡ଼ିକ ପ୍ରଭାବିତ ହେବେ ।
ସେହିପରି ଖଣି କ୍ଷେତ୍ରରେ ଲଗାଯାଇଥିବା ଅତ୍ୟଧିକ ଟିକସ, ଖଣିଜ ବେନିଫିକେସନ ଓ ପରିବହନକୁ ନେଇ ରହିଥିବା ସମସ୍ୟା ବିଷୟରେ ମଧ୍ୟ ସେ ଆଲୋଚନା କରିଛନ୍ତି ।
ଏହି ଅବସରରେ ଇସ୍ପାତ ବିଭାଗର ଅତିରିକ୍ତ ସଚିବ ଆର୍ କେ ଶର୍ମା କହିଛନ୍ତି ଯେ, 'ରାଜ୍ୟର ଅର୍ଥନୀତି ପ୍ରତି ଖଣି କ୍ଷେତ୍ରର ଅବଦାନ ୧୦% ରହିଛି । ନିକଟରେ ଘଟିଥିବା କିଛି ଘଟଣା ଯୋଗୁଁ ଏହି କ୍ଷେତ୍ରର ଯୋଗଦାନ ୧୦% ତଳକୁ ଖସିଯାଇଥିଲା । ତାହା ପୁଣି ଥରେ ବଢ଼ିବା ଆରମ୍ଭ ହୋଇଛି । ନିୟମ ପାଳନ କରିବାରେ ଓଡ଼ିଶାର ଖଣିଗୁଡ଼ିକ ଆଗରେ ରହିଛନ୍ତି । ଅନ୍ୟ ରାଜ୍ୟଗୁଡ଼ିକ ଏବେ ବି ଖଣି କ୍ଷେତ୍ରରେ ସଂଘର୍ଷ କରୁଥିବାବେଳେ ଓଡ଼ିଶା ଏହାର ଉତ୍ପାଦନକୁ ଶୀଘ୍ର ସ୍ବାଭାବିକ କରିପାରିଛି ବୋଲି ସେ କହିଛନ୍ତି ।
ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଆଇସିସି ନିର୍ଦ୍ଦେଶକ ପ୍ରବୋଧ ମହାନ୍ତି, ଏସ୍ଏନ୍ଏମ୍ ଗ୍ରୁପ୍ର ନିର୍ଦ୍ଦେଶକ ସ୍କଟ୍ କାଥନିସ୍, ବେଦାନ୍ତ ଗ୍ରୁପ୍ର ନିର୍ଦ୍ଦେଶକ ଏମସି ଥୋମାସ, ଆଇସିସି ଓଡ଼ିଶା ରାଜ୍ୟ ପରିଷଦ ଓ ସହ-ଅଧ୍ୟକ୍ଷ ଜେ ବି ପାଣି ପ୍ରମୁଖ ସାମିଲ ହୋଇଥିଲେ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ