ଭୁବନେଶ୍ବର: ଆନ୍ତଃରାଜ୍ୟ ସ୍ଥାନାନ୍ତର ଯୋଗୁଁ ଗାଡି ପଞ୍ଜୀକରଣ ସମସ୍ୟାରେ ପଡୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ଏଣିକି ଏହି ସମସ୍ୟାର ହେବ ସମାଧାନ । ଭାରତ ସିରିଜ୍ ଗାଡ଼ି ପଞ୍ଜୀକରଣ ମାଧ୍ୟମରେ ଏହି ସମସ୍ୟାରୁ ସେମାନଙ୍କୁ ମିଳିବ ମୁକ୍ତି । ଏନେଇ ଆସନ୍ତାକାଲି ଠାରୁ ନୂତନ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । କାଲିଠାରୁ ନୂଆଗାଡି କିଣୁଥିବା ଗ୍ରାହକମାନେ ଏହି ନୂତନ ପଞ୍ଜୀକରଣ ବ୍ୟବସ୍ଥାର ଲାଭ ଉଠାଇପାରିବେ ।
ପୂର୍ବରୁ ବାରମ୍ବାର ବଦଳି ହେଉଥିବା ସରକାରୀ ଓ ବେସରକାରୀ କର୍ମଚାରୀ ନିଜ ଗାଡ଼ିର ପଞ୍ଜୀକରଣ ଭିନ୍ନ ଭିନ୍ନ ରାଜ୍ୟରେ ପୁଣିଥରେ କରି ବହୁତ ହଇରାଣ ହେଉଥିଲେ । ବର୍ତ୍ତମାନ ଏହି ନୂଆ ପଞ୍ଜୀକରଣ ବ୍ୟବସ୍ଥାରେ ଗାଡ଼ି କିଣୁଥିବା ଲୋକ ଏଣିକି ଭାରତ ସିରିଜ୍ ନମ୍ବର ନେଇପାରିବେ ।
ସେନା ଅଧିକାରୀ, କେନ୍ଦ୍ର ସରକାରଙ୍କ ଅଧିକାରୀ, ୪ରୁ ଅଧିକ ରାଜ୍ୟରେ ଅଫିସ୍ ଥିବା ସଂସ୍ଥାର କର୍ମଚାରୀ ଏହି ସୁବିଧା ଉପଲବ୍ଧ କରିପାରିବେ । ବେସରକାରୀ ସଂସ୍ଥାର ଅଧିକାରୀଙ୍କୁ ଅନ୍ଲାଇନ୍ ମାଧ୍ୟମରେ ପରିବହନ ୱେବସାଇଟରେ ଫର୍ମ-୬୦ ଭରିବାକୁ ପଡିବ । ସରକାରୀ କର୍ମଚାରୀ ନିଜର ପରିଚୟ ପତ୍ର ଦେଇ ଭାରତ ସିରିଜ୍ ପାଇଁ ଆବେଦନ କରିପାରିବେ ।
ଭାରତ ସିରିଜ୍ ନମ୍ବର ନେଲେ ଥରକୁ ୨ ବର୍ଷର ରୋଡ୍ ଟ୍ୟାକ୍ସ ଲାଗିବ । ସଡ଼କ ଟିକସ ପାଇଁ ଭିନ୍ନ ଭିନ୍ନ ସ୍ଲାବ ବ୍ୟବସ୍ଥା ରହିଛି । ଯଦି ଗୋଟିଏ ଗାଡିର ମୂଲ୍ୟ ୧୦ ଲକ୍ଷରୁ କମ୍ ତାହେଲେ ୮ ପ୍ରତିଶତ, ୧୦ ରୁ ୨୦ ଲକ୍ଷ ଟଙ୍କା ହେଇଥିଲେ ୧୦ ପ୍ରତିଶତ ଓ ୨୦ ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟ ହେଇଥିଲେ ୧୨ ପ୍ରତିଶତ ଟିକସ ଆଦାୟ କରାଯିବ । BH ସିରିଜ୍ ନମ୍ବର କମ୍ପ୍ୟୁଟର ମାଧ୍ୟମରେ ଦିଆଯିବ । ଆଶା କରାଯାଉଛି ଏହି ବ୍ୟବସ୍ଥା ଦ୍ବାରା ବାରମ୍ବାର ବଦଳି ହେଉଥିବା ଲୋକ ଆଉ ପୂର୍ବପରି ହଇରାଣ ହେବେନାହିଁ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ