ଭୁବନେଶ୍ବର: ମିଶନ ଶକ୍ତି ମେଳା ଦେଲା ପୁଷ୍ପାଞ୍ଜଳିଙ୍କୁ ନୂଆ ପରିଚୟ । ନୂଆପଡା ଜିଲ୍ଲାର ପୁଷ୍ପାଞ୍ଜଳି ମହାନନ୍ଦ ପେସା ଓ ନିଶାରେ ଜଣେ କାଠ କାରିଗର । ହେଲେ ରାଜଧାନୀରେ ଆୟୋଜିତ ହୋଇଥିବା ମିଶନ ଶକ୍ତି ମେଳାରେ ସେ ନିଜର ଏକ ଷ୍ଟଲ ଦେଇଛନ୍ତି । ଯେଉଁଠି ସେ ଚାବି ରିଙ୍ଗ ନେମ ପ୍ଲେଟ ଅବା ନିଜ ପ୍ରିୟଜନ ପାଇଁ ସ୍ବତନ୍ତ୍ର ଦିବସରେ ଉପହାର ସବୁକୁ କାଠରେ ତିଆରି କରି ଏହି ଷ୍ଟଲରେ ବିକ୍ରି କରୁଛନ୍ତି । ଯାହାକୁ କିଣିବାକୁ ତାଙ୍କ ଦୋକାନରେ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି ।
ଦିନ ଥିଲା ସେ ଘରେ ବସି କିଛି ଛୋଟ ମେଟ ସିଲେଇ କାମ କରୁଥିଲେ । ହେଲେ ଏବେ ସେ ମିଶନ ଶକ୍ତି ଜରିଆରେ ଏହି କାଠ କାମର ତାଲିମ ନେଇ ବେଶ ଭଲ ଦୁଇ ପଇସା ରୋଜଗାର କରି ପାରିଛନ୍ତି । ଦିନ ଥିଲା 50 ହଜାରରୁ କାରବାର ଆରମ୍ଭ କରିଥିବା ଏହି ମହିଳା ଏବେ ବର୍ଷକୁ 8ଲକ୍ଷ ଟଙ୍କାର ବ୍ୟବସାୟ କରି ବେଶ ଭଲରେ ଚଳୁଥିବାର କହିଛନ୍ତି ପୁଷ୍ପାଞ୍ଜଳି । ନିଜେ ସ୍ବାବାଲମ୍ବୀ ହେବା ସହ ନିଜ ଅଞ୍ଚଳରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ବେଶ ଖୁସି ଥିବା କହିଛନ୍ତି ପୁଷ୍ପାଞ୍ଜଳି ମହାନନ୍ଦ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟଙ୍କ ରିପୋର୍ଟ, ଇଟିଭି ଭାରତ