ଭୁବନେଶ୍ବର: ସରିଲା ଶାରଦୀୟ ଦୁର୍ଗାପୂଜା । ଦଶଦିନର ପୂଜାର୍ଚ୍ଚନା ପରେ ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା' । ବିନା ଜାକଜମକରେ ଏବଂ ବିନା ଭକ୍ତରେ ମା' ଜଗତଜନନୀଙ୍କୁ ଆଜି ବିସର୍ଜନ କରାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ ମୁତାବକ, ଶାନ୍ତି ଶୃଙ୍ଖଳା ଏବଂ କଟକଣା ମଧ୍ୟରେ ଦଶଭୁଜାଙ୍କୁ ମେଲାଣି ଦିଆଯାଉଛି ।
ବିଗତ ବର୍ଷଗୁଡିକରେ ଖୁବ୍ ଧୁମଧାମରେ ମା'ଙ୍କ ଭସାଣୀତ୍ସୋବ ପାଳନ କରାଯାଏ । ବାଦ୍ୟଯନ୍ତ୍ର ସାଙ୍ଗକୁ ଘଣ୍ଟଘଣ୍ଟା ଓ ହୁଳହୁଳିରେ ମା' ଜଗତଜନନୀ ବିଦାୟ ନିଅନ୍ତି । ହେଲେ ଚଳିତ ବର୍ଷ ମଧ୍ୟ କୋଭିଡ ମହାମାରୀ ଦୃଷ୍ଟିରୁ ଭସାଣୀ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ସୀମିତ ଲୋକଙ୍କ ଉପସ୍ଥିତିରେ ପୂଜା ମଣ୍ଡପରେ ମହିଶାମର୍ଦ୍ଦିନୀଙ୍କ ପୂଜାର୍ଚ୍ଚନା କରାଯାଇଛି । ସମାନ ଭାବେ ସୀମିତ ସଂଖ୍ୟକ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଭସାଣୀ ଉତ୍ସବ ଆୟୋଜିତ କରିବାକୁ ନିର୍ଦ୍ଦେଶ ରହିଛି । କୌଣସି ପ୍ରକାର ରୋଷଣୀ କରାଯିବ ନାହିଁ କି ସହର ପରିକ୍ରମା ମଧ୍ୟ ହେବ ନାହିଁ । ଏନେଇ ଟ୍ବିନ୍ ସିଟିରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଅସ୍ଥାୟୀ ପୋଖରୀ କରାଯିବା ସହ ପୋଲିସ ଫୋର୍ସ ମୁତୟନ ନେଇ ବ୍ୟବସ୍ଥା କରାଯାଇଛି।
କଟକରେ ମେଢ ବିସର୍ଜନ ପାଇଁ ୬ଟି ସ୍ଥାନ ଚିହ୍ନଟ କରାଯାଇଛି । ପର୍ଯ୍ୟାୟକ୍ରମେ ସନ୍ଧ୍ୟା ୬ଟା ସୁଦ୍ଧା ବିସର୍ଜନ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ରହିଛି ।