ଭୁବନେଶ୍ବର: ଅଦିନିଆ ବର୍ଷାରେ ଫିକା ପଡିବ ରଙ୍ଗର ପର୍ବ ହୋଲି। ଘୁର୍ଣ୍ଣିବଳୟ ପ୍ରଭାବରେ ଅଦିନିଆ ବର୍ଷା କମିବାର ନା ଧରୁନି। ଆସନ୍ତା ଦୁଇ ତିନିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବ। କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ଗଜପତି, କଳାହାଣ୍ଡି, ରାୟଗଡା ଏବଂ କୋରାପୁଟ ଆଦି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ୧୧ ଓ ୧୨ ତାରିଖରେ ବର୍ଷାର ପରିମାଣ ବଢିବ। ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ। ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ୧୨ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡିଶାର ବୌଦ୍ଧ, ସୋନପୁର, କନ୍ଧମାଳ ଓ ନୟାଗଡ଼ରେ ବର୍ଷା ହେବ।
୧୩ ତାରିଖ ଠାରୁ ରାଜ୍ୟରେ ବର୍ଷା ସାମାନ୍ୟ କମିବ। ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସର୍ବାଧିକ ୩ସିଏମ ବର୍ଷା ରେକର୍ଡ କରାଯାଇଛି। ସେହିପରି ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ବରରେ ଆକାଶ ଆଂଶିକ ମେଘାଛନ୍ନ ରହିବ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ