ଭୁବନେଶ୍ବର: କ୍ରିକେଟରେ କ୍ୟାରିୟର କରିବାକୁ ଚାହୁଁଥିବା ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ବର ନିକଟସ୍ଥ ଖୋର୍ଦ୍ଧା ବରୁଣେଇସ୍ଥିତ କେଟି ଗ୍ଲୋବାଲ ସ୍କୁଲରେ ଖୋଲିବାକୁ ଯାଉଛି ଆଇ.ଆଇ.ଜି କ୍ରିକେଟ୍ ଏକାଡେମୀ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଆଝାରୁଦ୍ଦିନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କ୍ରିକେଟ ଏକାଡେମୀ ନିର୍ମାଣ ହେବାକୁ ଯାଉଛି । ପୂର୍ବରୁ ମହମ୍ମଦ ଆଝାରୁଦ୍ଦିନ ଏକାଡେମୀର ଭିତ୍ତିଭୂମି ସ୍ଥଳ ବୁଲି ଦେଖିଥିଲେ । ଇତି ମଧ୍ୟରେ ଏକାଡେମୀ ପାଇଁ ଆନ୍ତର୍ଜାତୀୟ ମାନର ଭିତ୍ତିଭୂମି ଗଢି ଉଠିଛି । ଖୋଲିବାକୁ ଯାଉଥିବା ଆଇଆଇଜି କ୍ରିକେଟ୍ ଏକାଡେମୀରେ ଆର୍ଟ ଷ୍ଟାଡିୟମ୍, ଅଭ୍ୟାସ ଗ୍ରାଉଣ୍ଡ, ଆବାସିକ ସୁବିଧା ସହ ଅନ୍ୟାନ୍ୟ ଆଧୁନିକ ସୁବିଧା ଉପଲବ୍ଧ ହେବ ।
ରବିବାର ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ କ୍ରିକେଟର ଆଝାରୁଦ୍ଦିନ କହିଛନ୍ତି, "ଆଇଆଇଜି କ୍ରିକେଟ୍ ଏକାଡେମୀର ମୂଳ ଉଦ୍ଦେଶ୍ୟ ହେଉଛି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଲୁକାୟିତ କ୍ରୀଡା ପ୍ରତିଭାକୁ ଲୋକଲୋଚନକୁ ଆଣିବା । ଯାହାଫଳରେ ଓଡ଼ିଶାର ଖେଳାଳିମାନଙ୍କ ଭବିଷ୍ୟତ ଉଜ୍ବଳମୟ ହେବା ସହ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟ ଖେଳିବାକୁ ସୁଯୋଗ ମିଳିପାରିବ ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ମାନଚିତ୍ରରେ ଓଡିଶା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ହକି ବିଶ୍ବକପ ଆୟୋଜନ କରି ଓଡିଶା ଖ୍ୟାତି ଅର୍ଜନ କରିଛି । ଓଡିଶାରେ କ୍ରିକେଟର ବୈପ୍ଳବିକ ବିକାଶ ପାଇଁ ଏହି ଆଇ. ଆଇ. ଜି କ୍ରିକେଟ ଏକାଡେମୀ ପ୍ରତିଷ୍ଠା ହେବାକୁ ଯାଉଛି । ଏ ନେଇ ରାଜ୍ୟ ସରକାରଙ୍କ ସହାୟତା ଲୋଡିଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ