ଭୁବନେଶ୍ବର: ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । 3 ଜଣ ବରିଷ୍ଠ ଆଇଏଏସଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ବ । ଦେଓରଞ୍ଜନ ସିଂହ, ସୁଶୀଲ ଲୋହାନି , ସଞ୍ଜୟ ସିଂଙ୍କୁ ଅତିରିକ୍ତ ଦାଇତ୍ୱ ଦିଆଯାଇଛି । ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପାଇଛନ୍ତି ସୁଶୀଲ କୁମାର ଲୋହାନି ।
ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ହୋଇଛନ୍ତି ସୁଶୀଲ କୁମାର ଲୋହାନି (Sushil Kumar Lohani) । ରାଜ୍ୟ ନିର୍ବାଚନ ଅଧିକାରୀ ସହ ଏହି ଅତିରିକ୍ତ ଦାଇତ୍ୱ ତୁଲାଇବେ 1995 ବ୍ୟାଚର ସୁଶୀଲ । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ସଚିବ ଥିବା ଅଶୋକ କୁମାର ମିନା କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । ଫଳରେ ସୁଶୀଲଙ୍କୁ ଅତିରିକ୍ତ ଦାଇତ୍ୱ ମିଳିଛି । ପଞ୍ଚାୟତିରାଜ ଅନୁଷ୍ଠାନରେ ଅନେକ ଅଭିଜ୍ଞତା ରଖିଛନ୍ତି ସୁଶୀଲ । ଭଦ୍ରକ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ସୁଶୀଲ । ଏହା ସହ ସମ୍ବଲପୁର, ବଲାଙ୍ଗୀର ଓ କେନ୍ଦୁଝର ଜିଲ୍ଲାପାଳ ଭାବେ ଦାଇତ୍ୱ ତୁଲାଇଛନ୍ତି ସେ । ସେ ମଧ୍ୟ କେନ୍ଦ୍ର ସରକାରଙ୍କ ଅଧୀନରେ ସାର ଏବଂ ରସାୟନ ବିଭାଗ, ଶ୍ରମ ଓ ଶକ୍ତି ମନ୍ତ୍ରଣାଳୟରେ କାର୍ଯ୍ୟ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ପାଦରେ ନିଯୁକ୍ତି ମିଳିବା ପରେ ସୁଶୀଲଙ୍କ ପାଖରେ ଥିବା ଅବକାରୀ ବିଭାଗ ଓ GST କମିସନର ଦାଇତ୍ୱ ଅନ୍ୟ ଦୁଇ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।
1993 ବ୍ୟାଚର ଦେଓରଞ୍ଜନ ସିଂଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ସରକାର । ଦେଓରଞ୍ଜନ ସିଂ ଷ୍ଟିଲ ଏବଂ ମାଇନ୍ସ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଏହା ସହ ଓଏମସି, ଓଏମଇସିଏଲ, ଇଡିକଲର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ।
ଅନ୍ୟପଟେ 1997 ବ୍ୟାଚର ସଞ୍ଜୟ କୁମାର ସିଂଙ୍କୁ GST କମିସନର ଭାବେ ଅତିରିକ୍ତ ନିଯୁକ୍ତି ମିଳିଛି । ସଞ୍ଜୟ ଗ୍ରାମ୍ୟ ଉନ୍ନୟନ ଓ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭବେ କାର୍ଯ୍ୟ କରୁଛନ୍ତି । ଏହା ସହ ସେ BDAର ଉପାଧ୍ୟକ୍ଷ, ସ୍ମାର୍ଟ ସିଟି ଲିମିଟେଡ଼ର MD ଭାବେ ଅତିରିକ୍ତ ଦାଇତ୍ୱରେ ଅଛନ୍ତି । କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଅଶୋକଙ୍କୁ FCIର CMD ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର ।
ଇଟିଭି ଭାରତ, ଭୁବନେଶ୍ବର