ଭୁବନେଶ୍ବର: ସମଗ୍ର ମଣିଷ ସମାଜକୁ ଗ୍ରାସ କରିଛି କୋରୋନା । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି, ମନ୍ତ୍ରୀ ଓ ବଡ ବଡ ଅଫିସରଙ୍କୁ ବି ଛାଡୁନି ଏହି ଭୂତାଣୁ । ମାଟିର ଅନେକ ସୁଯୋଗ୍ୟ ସନ୍ତାନ ମହାମାରୀ ଆଗରେ ହାର ମାନି ଆଖି ବୁଜିଲେଣି ଏବଂ ଏବେ ବି ଅନେକ ଏହି କିଲର ଭୂତାଣୁର ଜାଲରେ ଛଟପଟ ହେଉଛନ୍ତି । ଯାହାଙ୍କ ମଧ୍ୟରୁ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ସଚିବ ଗୁରୁପ୍ରସାଦ ମହାପାତ୍ର ଅନ୍ୟତମ । ନିକଟରେ ଗୁରୁପ୍ରସାଦ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ଥିବାବେଳେ ସେ ଏବେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲର ICUରେ ଭର୍ତ୍ତି ହୋଇ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସଚିବ ଗୁରୁପ୍ରସାଦଙ୍କ ସ୍ବାସ୍ଥ୍ୟବସ୍ଥା ଲଗାତାର ପଚାରି ବୁଝୁଛନ୍ତି ।
ସୂଚନାଥାଉକି, ଗୁରୁପ୍ରସାଦ ମହାପାତ୍ର 1986 ବ୍ୟାଚ୍ ଗୁଜୁରାଟ କ୍ୟାଡର IAS ଅଧିକାରୀ ଅଟନ୍ତି । ସେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟର(BJB) ଛାତ୍ର ଥିଲେ । ଗୁରୁପ୍ରସାଦ ଏଠାରେ ସ୍ନାତକ ପଢୁଥିଲେ ଏବଂ ଜବହାରଲାଲ୍ ନେହୁର ୟୁନଭରସିଟିରେ ନିଜ ସ୍ନାତକୋତ୍ତର ଶେଷ କରିଥିଲେ । ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗର ସଚିବ ଦାୟିତ୍ବ ବହନ କରିବା ଆଗରୁ ସେ ଭାରତୀୟ ବିମାନ ପ୍ରାଧିକରଣ (AAI)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ ।
IAS ଗୁରୁପ୍ରସାଦଙ୍କ ଘର ଭୁବନେଶ୍ବରସ୍ଥିତ ସହୀଦ ନଗର ଅଞ୍ଚଳରେ । ସେ ଓଡିଶାର ପ୍ରଖ୍ୟାତ ସାହିତ୍ୟିକ ସ୍ବର୍ଗତ ମହାପାତ୍ର ନୀଳମଣି ସାହୁଙ୍କ ସାନ ପୁଅ । 2016 ମସିହାରେ ଏହି ବିଶିଷ୍ଟ ସାହିତ୍ୟିକଙ୍କ ବିୟୋଗ ଘଟିଥିଲା । ସ୍ବର୍ଗତ ମହାପାତ୍ରଙ୍କ ବଡ ପୁଅ ଅର୍ଥାତ୍ ଗୁରୁପ୍ରସାଦଙ୍କ ବଡ ଭାଇ ଜଣେ ଆଇନଜୀବୀ ହୋଇଥିବାବେଳେ ବହୁଦିନ ଆଗରୁ ତାଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି । IAS ଗୁରୁପ୍ରସାଦଙ୍କ ପତ୍ନୀ ଜଣେ ଅଣ ଓଡିଆ ଏବଂ ତାଙ୍କ ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । ତେବେ ଏହି ପ୍ରଶାସନକି ଅଧିକାରୀ ଜଣକ ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ର ଠାକୁରଙ୍କ ଭକ୍ତ ହୋଇଥିବା ଯୋଗୁଁ ସେ ଅତ୍ୟନ୍ତ ସତସଙ୍ଗ ପ୍ରେମୀ ଅଟନ୍ତି । ଏଣୁ ଗୁରୁପ୍ରସାଦ ଯେତେବେଳେ ଓଡିଶା ଆସନ୍ତି ସତସଙ୍ଗରେ ଅଂଶଗ୍ରହଣ କରିଥାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ