ଭୁବନେଶ୍ବର: ବିଗତ ୧୦ରୁ ୧୨ ବର୍ଷ ଧରି ଓଡ଼ିଶାରେ ବିଭିନ୍ନ ଚିଟଫଣ୍ଡ କମ୍ପାନୀରେ ଜମା ରଖିଥିବା ଜମାକାରୀମାନେ ସେମାନଙ୍କ ସଞ୍ଚିତ ଧନ ଫେରିପାଇବା ଆଶାରେ ଚାହିଁ ବସିଥିବା ବେଳେ ବିଜୁ ଜନତା ଦଳ ଆଙ୍ଗୁଠି ଗେଞ୍ଜିବା ପାଇଁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି । ହଜାର ହଜାର କୋଟି ଟଙ୍କା ଠକି ନେଇଥିବା ଚିଟଫଣ୍ଡ କମ୍ପାନୀଗୁଡ଼ିକ ପାଇଁ ବିଜେଡି ଲିଗାଲ ସେଲ୍ ମୁଖ୍ୟ ମିଲନ କାନୁନ୍ଗୋ ଓକିଲାତି କରୁଥିବା ଅଭିଯୋଗ କରିଛି ଜନ ଅଧିକାର ମଞ୍ଚ । ଏହାକୁ ନେଇ ଭୁବନେଶ୍ବର ଲୋୟାର ପିଏମଜିରେ ପ୍ରିତିବାଦ କରିଛି ଜନ ଅଧିକାର ମଞ୍ଚ ।
ଜନ ଅଧିକାର ମଞ୍ଚର ଅଭିଯୋଗ ଅନୁସାରେ, "ଗୋଟିଏ ପଟେ ଜମାକାରୀଙ୍କ ଟଙ୍କା ଫେରାଇବାର ମିଛି ପ୍ରତିଶ୍ରୁତି ଦେଉଛନ୍ତି ମୁଖ୍ୟମନ୍ତ୍ରୀ, ଅନ୍ୟପଟେ ବିଜେଡି ଲିଗାଲ ସେଲ ମୁଖ୍ୟ ମିଲନଙ୍କୁ ଲଗାଇ ଚିଟଫଣ୍ଡ ଲୁଟେରାଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି । ବିଜେଡିର ଏଭଳି ଦୋମୁହାଁ ନିତୀକୁ ଆମେ ଗ୍ରହଣ କରିବୁ ନାହିଁ । ବିଜେଡ଼ି ଡ଼ାହାଣୀ ହୋଇ ଲାଗି, ଗୁଣିଆ ହୋଇଝାଡ଼ିଲେ ଜମାକାରୀ କିଭଳି ତାଙ୍କ ଟଙ୍କା ଫେରିପାଇବେ ?"
ଜନ ଅଧିକାର ମଞ୍ଚର ଆବାହକ ସଂଗ୍ରାମ କିଶୋରଙ୍କ ନେତୃତ୍ବରେ ଆୟୋଜିତ ପ୍ରତିବାଦ ବିକ୍ଷୋଭରେ ସଂଗଠନର କର୍ମକର୍ତ୍ତା ଓ କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀ ଉପସ୍ଥିତ ଥିଲେ । ୫ ଶହ କୋଟି ଠକିଥିବା ଏ.ଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀ, ୧୭ ହଜାର କୋଟି ଲୁଟିଥିବା ରୋଜ ଗ୍ୟାଲି ମୁଖ୍ୟ ଶ୍ରୀକାନ୍ତ ମୋହତା, ୯ ଶହ କୋଟି ଲୁଟିଥିବା ଗୋଲଡ଼େନ ଡ଼େଭଲପର୍ସ ମୁଖ୍ୟ ବିଜୟ ବର୍ମାଙ୍କୁ ବଞ୍ଚାଇବାକୁ ମିଲନ କାନୁନଗୋ ସେମାନଙ୍କ ଓକିଲ ଭାବେ ଲଢି ତାଙ୍କ ସରକାରୀ ରକ୍ଷାକବଚ ସାଜିଥିବା ମଞ୍ଚ ଅଭିଯୋଗ କରିଛି ।
ଏହି ପ୍ରତିବାଦ ସଭାରେ କୃଷକ ନେତା ଶୁଭେନ୍ଦୁ ମଲ୍ଲିକ କହିଥିଲେ ଯେ, "ଚିଟଫଣ୍ଡ ଟଙ୍କା ଫେରାଇବା ପାଇଁ ସରକାର ପ୍ରଥମେ ୩୦୦ କୋଟିର କର୍ପସ ଫଣ୍ଡ ଓ ଜଷ୍ଟିସ ପାତ୍ରଙ୍କ ନେତୃତ୍ବରେ ଏକ କମିଶନ ଗଠନ କଲେ । ଗତ ୫ ବର୍ଷ ମଧ୍ୟରେ ୫ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଜମାକାରୀ କିନ୍ତୁ ତାହା ମାତ୍ର ୮ କୋଟି ପାଇଛନ୍ତି । ଯାହା ସରକାରଙ୍କ ଛଳନାକୁ ପଦାରେ ପକାଇଛି। ତେଣୁ ସରକାରଙ୍କ ରକ୍ଷାକବଚ ସାଜିଥିବା ମିଶନ ଏହି କାର୍ଯ୍ୟରୁ ନିବୃତ ରୁହନ୍ତୁ ନହେଲେ ଆଜି ଗୀତାରେ ମାରି ପ୍ରତିବାଦ କରିଛୁ କାଲି ଜୋତା ପିନ୍ଧାଇବାକୁ ବି ପଛାଇବୁନି।"
ଇଟିଭି ଭାରତ, ଭୁବନେଶ୍ବର