ଭୁବନେଶ୍ବର: କଟକ ସହରରେ ନୂତନ ବସଷ୍ଟାଣ୍ଡ ବାଲିସାହି ଓ ଅନ୍ୟାନ୍ୟ ସ୍ଥାନରେ ବସ୍ତିବାସୀନ୍ଦା ମାନଙ୍କୁ ଥଇଥାନ ରାସ୍ତା ସଂପ୍ରସାରଣ ପାଇଁ କେତେ ଗଛ କଟା ହୋଇଛି ? ଏହା ବାବଦରେ କେଉଁ ସଂସ୍ଥାକୁ କେତେ ଅର୍ଥ ପ୍ରଦାନ କରାଯାଇଛି ? କଟା ଗଛ ସବୁ କେତେ ଟଙ୍କାରେ ବିକ୍ରୟ କରାଯାଇଛି? ବିଧାନସଭାରେ ଏହି ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୁକିମ ।
ଜବାବରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି କଟକ ସହରରେ ନୂତନ (Netaji Bustand) ରାସ୍ତା ସଂପ୍ରସାରଣ, SCB Medical College ଓ ତାଳଦଣ୍ଡା କେନାଲ ରାସ୍ତାର ଉଭୟ ପାର୍ଶ୍ଵର ଉନ୍ନତିକରଣ ଓ ପ୍ରଶସ୍ତୀକରଣ ପାଇଁ ସମୁଦାୟ 1 ହାଜର260 ଗୋଟି ଗଛ କଟାଯାଇଛି ।
ସେହିପରି ବାଲିସାହି ଓ ଅନ୍ୟାନ୍ୟ ସ୍ଥାନରେ ବସ୍ତିବାସୀନ୍ଦାମାନଙ୍କୁ ଥଇଥାନ ନିମନ୍ତେ କୌଣସି ଗଛ କଟା ହେବା ପାଇଁ ଅନୁମତି ଦିଆଯାଇନାହିଁ । ଗଛ କାଟିବା ବାବଦକୁ ଓଡିଶା ବନ ଉନ୍ନୟନ ନିଗମ ଲିମିଟେଡ ଙ୍କୁ 40 ଲକ୍ଷ 74 ହଜାର 37 ଟଙ୍କା ପ୍ରଦାନ କରାଯାଇଅଛି । ଇତି ମଧ୍ୟରେ ଉକ୍ତ କଟା ଗଛ ଗୁଡିକର ଆଂଶିକ ବିକ୍ରୟ ବାବଦକୁ ଓଡିଶା ବନ ଉନ୍ନୟନ ନିଗମ ଲିମିଟେଡ 1 ଲକ୍ଷ 66 ହଜାର 642 ଟଙ୍କା ପ୍ରାପ୍ତ କରିଛନ୍ତି ।
ଭୁବନଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ