ଭୁବନେଶ୍ବର: ୨୦୨୧ ମସିହା ଅଦ୍ୟାବଧି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଅଛି । ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ସଦଭାବ ରହିଛି । କୋଭିଡ ପରିସ୍ଥିତିକୁ ପୋଲିସ ସଫଳ ଭାବେ ନିୟନ୍ତ୍ରଣ କରିଛି । ସେବା ମନୋବୃତ୍ତି ନେଇ ୧୦୨୬ରୁ ଅଧିକ ପୋଲିସ କର୍ମଚାରୀ କୋଭିଡ ଆକ୍ରାନ୍ତଙ୍କ ପାଇଁ ପ୍ଲାଜମା ଦାନ କରିଛନ୍ତି ।
ଅପରାଧ ଓ ଜରୁରୀ ସମୟରେ ତୁରନ୍ତ ସେବା ଯୋଗାଇ ଦେବାପାଇଁ ସରକାର Emergency Response Support system (ERSS) କାର୍ଯ୍ୟକାରୀ କରୁଛନ୍ତି, ଯାହାର କମାଣ୍ଡ ସେଣ୍ଟର ଭୁବନେଶ୍ବରରେ ସ୍ଥାପନ କରାଯାଇଛି । ଏହାଦ୍ବାରା ଗୋଟିଏ ନମ୍ବର ୧୧୨ ଦ୍ବାରା ପୋଲିସ ସେବା, ଆମ୍ବୁଲାନ୍ସ, ଅଗ୍ନିଶମ ସେବା, ମହିଳା ଓ ଶିଶୁ ସହାୟତା ଇତ୍ୟାଦି ଉପଲବ୍ଧ ହେବ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୧୦୯୮ଟି ବିଭିନ୍ନ ପଦବୀ ଯଥା- ୪ TDSP, ୧୫୧ ଟି ସବ୍-ଇନ୍ସପେକ୍ଟର, ୨୦୩ ଟି ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଏବଂ ୭୪୦ଟି କନେଷ୍ଟେବଳ ପଦବୀ ସୃଷ୍ଟି କରିଛନ୍ତି । ଏହା ବ୍ୟତୀତ, ଉକ୍ତ ସେବାଗୁଡ଼ିକର ସଠିକ କାର୍ଯ୍ୟକାରିତା ପାଇଁ ୧୯୮ଟି କଲ୍ ଟେକର୍ସ ଏବଂ ୧୦୨ ଗୋଟି ଗାଡ଼ି ଅଣାଯିବାର ବ୍ୟବସ୍ଥା କରାଯାଇଛି ।
ମହିଳାମାନଙ୍କ ବିରୋଧରେ ଘଟୁଥିବା ଅପରାଧ ଗୁଡିକୁ ସଫଳତାର ସହ ପରିଚାଳନା କରିବା ପାଇଁ ଉକ୍ତ ମାମଲା ଗୁଡିକୁ ''Red Flag" ପର୍ଯ୍ୟାୟଭୁକ୍ତ କରାଯାଇଛି । ୨୦୨୧ ମସିହା ଜୁଲାଇ ୩୧ ସୁଦ୍ଧା ୮୧ଟି ମାମଲାକୁ ରେଡ ଫ୍ଲାଗ୍ ମାମଲା ଭାବେ ଗ୍ରହଣ କରାଯାଇଛି । ଉକ୍ତ ମାମଲାର ସଠିକ ଭାବରେ ପରିଚାଳନା କରିବା ପାଇଁ ହୋଲଡିଂ ତଦନ୍ତକାରୀ ଅଧିକାରୀ ଏବଂ ସ୍ଵତନ୍ତ୍ର ସରକାରୀ ଓକିଲଙ୍କୁ ନିଯୁକ୍ତି ଦିଆଯାଇଛି । ଫଳସ୍ଵରୁପ ଚଳିତ ବର୍ଷ ୨୦୨୧ ମସିହାରେ ରେଡ ଫ୍ଲାଗ୍ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୪୧.୫ ପ୍ରତିଶତକୁ ବୃଦ୍ଧି ପାଇଛି ।
୨୦୨୦ ଓ ଚଳିତ ବର୍ଷ ଅଦ୍ୟାବଧି କ୍ରାଇମବ୍ରାଞ୍ଚ, STF ତତ୍ତ୍ୱାବଧାନରେ ନାରକୋଟିକ୍ ଡ୍ରଗ୍ସ ବିରୋଧରେ ପ୍ରଭାବଶାଳୀ ଡ୍ରାଇଭ୍ ନିୟମିତ ଅନ୍ତରାଳରେ ସାରା ରାଜ୍ୟରେ ହାତକୁ ନିଆଯାଉଛି । ୨୦୨୧ ମସିହା ଜୁନ ମାସ ସୁଦ୍ଧା ୮୦୬ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏହା ପୋଲିସର ଏକ ରେକର୍ଡ ସଫଳତା । STF, CID, Crime Branch ନେତୃତ୍ବରେ ସାରା ରାଜ୍ୟରେ ଗଞ୍ଜେଇ ବିରୋଧରେ ଡ୍ରାଇଭ୍ ଜାରି ରହିଛି । ରାଜ୍ୟରେ ୨୦୨୦ ମସିହାରେ ୩୪.୩୨ କେଜି ଏବଂ ୨୦୨୧ (ଜୁନ ମାସ ସୁଦ୍ଧା) ମସିହାରେ ୨୧.୫୦ କିଗ୍ରା ବ୍ରାଉନସୁଗାର ଜବତ କରାଯାଇଛି, ଯାହାକି ପୋଲିସର ଏକ ବଡ ସଫଳତା ।
ମାହାଙ୍ଗା ଟ୍ରିପଲ ମର୍ଡର ସମ୍ବନ୍ଧରେ ତଥ୍ୟ ଦେଇଛନ୍ତି ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ । ଉକ୍ତ ମୋକଦ୍ଦମାର ତଦନ୍ତ ଶେଷରେ ୧୩ ଜଣ ଅଭିଯୁ୍କ୍ତଙ୍କ ବିରୋଧରେ ଅଦାଲତରେ ଦୋଷାରୋପ ଫର୍ମ ଦାଖଲ କରାଯାଇଛି । ଅଭିଯୁକ୍ତ କାବୁଆ ଓରଫ ପ୍ରଫୁଲ୍ଲ କୁମାର ବିଶ୍ବାଳ ଟାଙ୍ଗୀ ଥାନାର ଏକ ରାସ୍ତା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାରୁ ତାଙ୍କୁ ଦଣ୍ଡମୁକ୍ତ କରାଯାଇଛି । ସାଲେପୁର କୋର୍ଟ ଏହି ମାମଲାର ବିଚାର କରି ମାନ୍ୟବର ମନ୍ତ୍ରୀ ପ୍ରତାପ କୁମାର ଜେନାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ପୁନଃ ତଦନ୍ତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପୋଲିସ୍କୁ ନିର୍ଦେଶ ଦେଇଛନ୍ତି । ପରବର୍ତ୍ତୀ ତଦନ୍ତ ଜାରି ରହିଛି ।
ଚଳିତ ବର୍ଷ ଜୁନ ୩୦ ତାରିଖ ସୁଦ୍ଧା ୯୭୧ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ୯୫୧ ଜଣଙ୍କୁ ଗିରଫ କରାଯାଇଛି । ସେହିଭଳି, ୨୦୨୦ ମସିହାରେ ୧୯୩୧ ଟି ସାଇବର ଅପରାଧ ମାମଲା ରୁଜ୍ଜୁ ହୋଇଥିବା ବେଳେ ୩୫୬ ଜଣଙ୍କୁ ଗିରଫ କରାଯାଇଥିଲା । ଆମ ସରକାର ଉକ୍ତ ନୂତନ ଅପରାଧର ମୁକାବିଲା ପାଇଁ ସକ୍ରିୟ ପଦକ୍ଷେପ ନେଉଛନ୍ତି । ନିକଟରେ ସାଇବର ଅପରାଧର ତଦନ୍ତ ପାଇଁ ୨୧୦ ଜଣା ପୋଲିସ କର୍ମୀଙ୍କୁ ତାଲିମ ଦିଆଯାଇଛି । ୨୦୨୧ ମସିହା ଅଦ୍ୟାବଧି ସାଇବର କ୍ରାଇମ ୟୁନିଟ ଗୁଡିକର ତ୍ବରିତ କାର୍ଯ୍ୟାନୁଷ୍ଠାନ ଫଳରେ ୨୯ ଲକ୍ଷ୍ୟ ୪୮ ହଜାର ୨୧୪ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି । ପୋଲିସ ଦ୍ବାରା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସାଧାରଣ ଜନତାଙ୍କୁ ସଚେତନ କରାଯାଉଛି ।
ଶିଶୁ ତଥା ଦୁର୍ବଳ ଶ୍ରେଣୀର ବ୍ୟକ୍ତିମାନଙ୍କ ସୁରକ୍ଷାକୁ ରାଜ୍ୟ ସରକାର ସର୍ବଦା ଅଗ୍ରାଧିକାର ଦେଇ ଆସିଛନ୍ତି । ରାଜ୍ୟରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧଗୁଡ଼ିକୁ ରୋକିବା ଏବଂ ତାର ଦଣ୍ଡବିଧାନକୁ ଗୋଟିଏ ଛତା ତଳେ ତଦାରଖ କରିବା ପାଇଁ ରାଜ୍ୟ କ୍ରାଇମ ବ୍ରାଞ୍ଚ ଅଧିନରେ ଏକ "Crime Against Women & Children Wing" ସରକାର ସ୍ଥାପନ କରିଛନ୍ତି । ସର୍ବଶେଷରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମନ୍ତ୍ରୀ ।
ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ