ଭୁବନେଶ୍ବର: ଏଥର କୋରୋନା ଭାଇରସ୍ ଭୟରେ ଫିକା ପଡ଼ିପାରେ ହୋଲିପର୍ବ । ମଙ୍ଗଳବାର ରଙ୍ଗର ପର୍ବ ଆସୁଛି ସତ କିନ୍ତୁ ଲୋକଙ୍କ ମନରେ ନାହିଁ ଏତେ ଉତ୍ସାହ । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍କୁଲ ପିଲାଙ୍କୁ ସାମୂହିକ ଭାବେ ରଙ୍ଗ ନ ଖେଳିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।
ଏହା ସହ ମନ୍ତ୍ରୀ କହିଛନ୍ତି ପିଲାମାନେ ଏକତ୍ରିତ ଭାବେ ରଙ୍ଗ ନଖେଳନ୍ତୁ । କୋରୋନା ପାଇଁ ସ୍କୁଲଗୁଡ଼ିକରେ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ବନ୍ଦ କରାଯାଉଛି । ଖୁବଶୀଘ୍ର ସ୍କୁଲରେ କୋରୋନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯିବ । ରଙ୍ଗ ଖେଳିବେ ନାହିଁ ବୋଲି ସେ କହିଛନ୍ତି । ଏହା ସହ ବିଭିନ୍ନ ସ୍କୁଲ ମାନଙ୍କରେ ପେପର shop ବଣ୍ଟନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରାଯିବ । ସ୍ଵାସ୍ଥ୍ୟ ବିଭାଗର ଦିଆଯାଇଥିବା ଆଡଭାଇଜରିକୁ ପାଳନ କରିବା ପାଇଁ ସେ କହିଛନ୍ତି । ସେପଟେ ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି । କୋରୋନା ଭୂତାଣୁ ସଂକ୍ରମଣ ହେବା ଆଶଙ୍କା ଥିବାରୁ ସତର୍କତାର ସହ ହୋଲି ଖେଳିବାକୁ କୁହାଯାଇଛି । ଯଥାସମ୍ଭବ ଏକତ୍ର ହୋଇ ରଙ୍ଗ ଖେଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ବଡ଼ ସମାବେଶ କରି ହୋଲି ଖେଳନ୍ତୁ ନାହିଁ, ମୁହଁରେ ରଙ୍ଗ ବୋଳନ୍ତୁ ନାହିଁ, କର ମର୍ଦ୍ଦନ କି ଆଲିଙ୍ଗନ କରନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ