ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ବିଶ୍ବକପ ହକିର ଏକ ବର୍ଷ ପୂର୍ତ୍ତି ଉତ୍ସବ ଆୟୋଜିତ ହୋଇଯାଇଛି । ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଏହାସହ ଅନ୍ତର୍ଜାତୀୟ ହକି ମହାସଙ୍ଘର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା ମଧ୍ୟ ଉପସ୍ଥିତ ଥିଲେ । ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା ।
୨୦୧୮ ହକି ବିଶ୍ୱକପର ଏକ ବର୍ଷ ପୂର୍ତ୍ତି ଅବସରରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାରେ ପୁଣି ହେବ ୨୦୨୩ ହକି ବିଶ୍ୱକପ । ଏହାସହ ଆଗାମୀ ହକି ମହାକୁମ୍ଭ କେବଳ ରାଜଧାନୀରେ ସୀମିତ ରହିବ ନାହିଁ ହକିର ଗଡ ସୁନ୍ଦରଗଡରେ ବି ହେବ ବିଶ୍ବକପ ମ୍ୟାଚ ।
ଭୁବନେଶ୍ବର ଓ ସୁନ୍ଦରଗଡରେ ବିଶ୍ବକପ ମ୍ୟାଚ ଖେଳାଯିବ । ସୁନ୍ଦରଗଡରେ 17ଟି ହକି ଆଷ୍ଟ୍ରୋ ଟର୍ଫ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ହାଇ ପରଫର୍ମାନ୍ସ ସେଣ୍ଟରର ବି ଶିଳାନ୍ୟାସ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସବୁର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ଘୋଷଣା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଲୋକମାନଙ୍କୁ ପଚାରିଥିଲେ ଆପଣ ମାନେ ଖୁସିତ, ମୁଁ ବି ଖୁସି ବୋଲି କହିଥିଲେ।
ଯେଉଁଥି ପାଇଁ ପୁରା ଷ୍ଟାଡିୟମରେ କରତାଳିର ଶବ୍ଧ ଗୁଞ୍ଜରିତ ହୋଇଥିଲା । ଅନ୍ୟପକ୍ଷେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ହକି ମହାସଙ୍ଘର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା କହିଛନ୍ତି କି ଆଜି କା ସମୟରେ ସମସ୍ତେ କ୍ରିକେଟ କୁ ପ୍ରାଧାନ୍ୟ ଦେଉଛନ୍ତି । ଯେଉଁଥି ପାଇଁ ହକିକୁ ହତାଦର କରାଯାଉଛି । ପଞ୍ଜାବ ଓ ଦିଲ୍ଲୀ ଭଳି ସ୍ଥାନମାନଙ୍କରେ ଏହାର ଆୟୋଜନ ପାଇଁ ଯେତିକି ଅର୍ଥ ସରକାରଠାରୁ ମଗାଯାଉଛି ତାହା ଦ୍ୱାରା ଏହା ସେଠାରେ କରିବା ସମ୍ଭବ ନୁହେଁ ।
ଆଜିର ଏହି ସ୍ୱତନ୍ତ୍ର ଉତ୍ସବରେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମଦ, ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ