ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର ଦିଗରେ ଗତି କରିବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଓଡ଼ିଶାର ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ କୋରାପୁଟ, ମାଲକାନଗିରି, ରାୟଗଡା ଜିଲ୍ଲାରେ ୧୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ବର୍ଷା ହେବା ନେଇ ୟେଲୋ ୱାର୍ନିଙ୍ଗ ଜାରି ।
୧୧ ତାରିଖରେ ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ନିଙ୍ଗ ଜାରି । ଦିନେ କି ଦୁଇ ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ । ଏଭଳି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ନିର୍ଦେଶକ । ପାଗ ଅନୁକୂଳ ଥିବାରୁ ମୌସୁମୀ ଠିକ ସମୟରେ ଓଡ଼ିଶା ଛୁଇଁବାର ସମ୍ଭାବନା ଅଧିକ ରହିଛି । ଗତ ୨୪ ଘଣ୍ଟା ଭିତରେ ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ସର୍ବାଧିକ ୭୬.୦ମିମି ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରିରେ ୪୦ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ