ଭୁବନେଶ୍ବର: ଆସନ୍ତା 24 ଘଣ୍ଟା ରାଜ୍ୟରେ ପୁଣି ପ୍ରବଳ ବର୍ଷା ସମ୍ଭାବନା । ସେଥିପାଇଁ 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର । ଶୁକ୍ରବାର (୨୫ ସେପ୍ଟେମ୍ବର) ସୁଦ୍ଧା ବଜ୍ରପାତ ସହ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଏହି 13 ଜିଲ୍ଲା ମଧ୍ୟରେ ରହିଛି, ନୂଆପଡା, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼,କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।
ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ଅନୁଗୁଳ ଜିଲ୍ଲା ରେଙ୍ଗାଲୀରେ ସର୍ବାଧିକ ୩୨.୨ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ମୟୂରଭଞ୍ଜ ତିରିଙ୍ଗରେ ୨୬.୨ ମିଲିମିଟର ହରଭଙ୍ଗାରେ ୨୩.୦ ମିଲିମିଟର, ବରଗଡ଼ ଜିଲ୍ଲା ଅମ୍ବାଭୋନାରେ ୧୯.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ପାରଳାଖେମୁଣ୍ଡିରେ ସର୍ବାଧିକ ୩୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଜୁନ ପହିଲାରୁ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୧୨୨.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଝାରସୁଗୁଡା ଓ ମାଲକାନଗିରିରେ ସ୍ବାଭାବିକ ଠାରୁ ୨୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି ।
୨୪ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ପୁରୀ, ଖୋର୍ଦ୍ଧା, ବାଲେଶ୍ବର ଓ ଗଜପତିରେ କମ ବର୍ଷା ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମୁଖ୍ୟ ଏଚ. ଆର. ବିଶ୍ବାସ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ