ଭୁବନେଶ୍ବର: ରାଜ୍ୟରେ ବଢୁଛି ତୃତୀୟ ଲହର ଆଶଙ୍କା । ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । କୋଭିଡ ମୁକାବିଲା ନେଇ ଆଜି ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ରାଜ୍ୟରେ ହସ୍ପିଟାଲରେ ଆବଶ୍ୟକ ଅନୁଯାୟୀ ବେଡ଼, ଟେଷ୍ଟ କିଟ୍ ମହଜୁଦ ରହିଥିବା ବେଳେ ୮ ପ୍ରକାରର ଔଷଧ ସହ ଅକ୍ସିଜେନ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ।
ଶିଶୁ ବିଭାଗରେ ୧୨ ବେଡ଼ ବିଶିଷ୍ଟ ICU ବେଡ୍, ୨୦ରୁ ୩୦ ବେଡ଼ ବିଶିଷ୍ଟ ଅକ୍ସିଜେନ ବେଡ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ତଦାରଖ ପାଇଁ ଜଣେ ଡାକ୍ତରଙ୍କୁ ୨ଟି ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ଆଇସିୟୁ ବେଡ, ଆବଶ୍ୟକ କିଟ ଏବଂ ମେଡିସିନ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ । ଏହି ସମସ୍ତ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି । ଜିଲ୍ଲା ସଦର ମହକୁମା ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ସମସ୍ତ ହସ୍ପିଟାଲ ଗୁଡିକ ତୃତୀୟ ଲହର ପାଇଁ ପ୍ରସ୍ତୁତ କରିବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ