ଭୁବନେଶ୍ବର: ରାଜ୍ୟରେ ଓମିକ୍ରନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ରାଜ୍ୟରେ ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣଙ୍କ ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ଅଛି । ସେମାନଙ୍କ ମଧ୍ୟରୁ ୭ ଜଣ ପୁରୁଷ ଓ ୭ ଜଣ ମହିଳା ହୋଇଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ତେବେ ବାଲେଶ୍ଵର ଓ ସମ୍ବଲପୁରରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଓ ଯାଜପୁରରୁ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କ ବୟସ ୧୧ ରୁ ୫୪ ବର୍ଷ ବୟସ ଭିତରେ ହୋଇଥିବା ଜଣାପଡ଼ିଛି। ଅଧିକାଂଶ ଲୋକଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ସରିଯାଇଛି । ତେବେ ସେମାନଙ୍କ ମଧ୍ୟରୁ ପ୍ରାୟତଃ ସମସ୍ତଙ୍କ ନେଗେଟିଭ ରିପୋର୍ଟ ଆସିଛି । ଯେଉଁମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନେ ସଂଗରୋଧରେ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ଡିସେମ୍ବର ୨୧ତାରିଖରେ ରାଜ୍ୟରେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ୨୩ ତାରିଖରେ ୨ ଜଣ, ୨୬ ତାରିଖରେ ୪ଜଣ, ୨୯ ତାରିଖରେ ଜଣେ, ୩୦ ତାରିଖରେ ୫ଜଣ, ଜାନୁଆରୀ ୨ ତାରିଖରେ ୨୩ଜଣ, ଜାନୁଆରୀ ୫ ତାରିଖରେ ୨୪ଜଣ ଏବଂ ଜାନୁଆରୀ ୮ ତାରିଖ ରେ ୧୪ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ