ଭୁବନେଶ୍ବର: ରବିବାର ରେକର୍ଡ ସଂଖ୍ୟାରେ ନମୁନା ପରୀକ୍ଷଣ କରିଥିବାରୁ ଆଇଏଲଏସ( ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ)କୁ ଶୁଭେଚ୍ଛା ଜଣାଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗତକାଲି ଆଇଏଲଏସ 901ଟି ନମୁନା ପରୀକ୍ଷଣ କରିଥିଲା। ଏହିପରି କାର୍ଯ୍ୟ ଆଗକୁ ଜାରି ରଖିବାକୁ ସ୍ବାସ୍ଥ୍ୟ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।
ଏଠାରେ ସୂଚନା ଥାଉ ଯେ ପୂର୍ବରୁ ରାଜ୍ୟରେ ଟେଷ୍ଟିଂ ସେଣ୍ଟର ନଥିଲା । ଫଳରେ ସମସ୍ତ ରିପୋର୍ଟ ପୁନେ ଭାଇରୋଲୋଜି ସେଣ୍ଟରକୁ ପଠାଯାଉଥିଲା । ପରେ ଦିଲ୍ଲୀ ଆଇଏମସିଆର , ଆରଏମଆରସିକୁ ଟେଷ୍ଟିଂ ପାଇଁ ଅନୁମତି ଦେଇଥିଲା ।
ଏହାପରେ ଧିରେ ଧିରେ ଏମସ, ଏସସିବି, ଆଇଜିଏଚ, ଏମକେସିଜି ଓ ବୁର୍ଲାରେ ପରୀକ୍ଷଣ କରାଯାଉଛି । ଏବେ ଓଡିଶାରେ ପାଖାପାଖି 10 ରୁ ଅଧିକ ଟେଷ୍ଟିଂ ସେଣ୍ଟର ରହିଛି । ତେବେ ଓଡିଶାରେ ପରୀକ୍ଷଣ ପାଇଁ ଆରଏମଆରସିର ସବୁଠାରୁ ଅଧିକ କାପାସିଟି ରହିଛି । ସେଠାରେ କୋବାସ ମେସିନ ରହିଥିବାରୁ ଦିନକୁ 1000 ନମୁନା ପରୀକ୍ଷଣ କରାଯାଇ ପାରୁଛି । ଆରଏମଆରସି ପରେ ଏବେ ଆଇଏଲଏସରେ ଗତକାଲି 901 ନମୁନା ପରୀକ୍ଷଣ କରିବା ସମ୍ଭବପର ହୋଇପାରିଛି ।