ଭୁବନେଶ୍ବର: ସମୟ ସହ ତାଳ ଦେଇ ବଦଳିବାରେ ଲାଗିଛି ରାଜଧାନୀବାସୀଙ୍କ ଜୀବନଧାରଣର ମାନ । ହେଲେ ଏବେବି ସ୍ମାର୍ଟସିଟିରେ ଗରିବୀ ଗଳିରେ ଦିନକାଟୁଛନ୍ତି ଅସହାୟ ବ୍ୟକ୍ତି । ରାଜଧାନୀ ରାସ୍ତାରେ ଖୋଲା ଆକାଶ ତଳେ ରାତ୍ରୀଯାପନ କରୁଛନ୍ତି ଅନେକ ଦିନ ମଜୁରିଆ ଓ ଗରିବ ଖଟିଖିଆ। ଯାହାଙ୍କ ମୁହଁରେ ଏବେ ହସ ଫୁଟାଇବା ପାଇଁ ଆରମ୍ଭ ହୋଇଛି ନିଆରା ପ୍ରୟାସ । ଫିଡିଂ ଇଣ୍ଡିଆ ଓ ଷ୍ଟେସନ ବଜାର କମିଟିର ମିଳିତ ଉଦ୍ୟମରେ ଷ୍ଟେସନ ବଜାରରେ ସ୍ଥାପନ କରାଯାଇଛି ‘ହାପି ଫ୍ରିଜ’ ।
ଏଠାରେ ସ୍ବେଚ୍ଛାକୃତ ଭାବେ ଖାଦ୍ୟ ଦାନ କରୁଛନ୍ତି ଲୋକେ । ଯାହା ଦିନ ମଜୁରିଆ ଓ ଗରିବ ଖଟିଖିଆଙ୍କ ପେଟକୁ ଖାଦ୍ୟ ଯୋଗାଉଛି । ଏହି ଫ୍ରିଜ ନା ଯେ କେବଳ ଗରିବଙ୍କ ମୁହଁରେ ହସ ଫୁଟାଉଛି ବରଂ ଏହା ପରିବେଶ ସୁରକ୍ଷା ପ୍ରତି ମଧ୍ୟ ଆରମ୍ଭ କରିଛି ନୂଆ ଅଭିଯାନ । ଏହି ଫ୍ରିଜରେ ଲୋକେ ବଳକା ଖାଦ୍ୟକୁ ସ୍ବେଚ୍ଛାକୃତ ରଖି ପାରିବେ । ତେବେ ଏହି ଫ୍ରିଜରେ ପ୍ଲାଷ୍ଟିକ ପାତ୍ରର ବ୍ୟବହାର ବର୍ଜନୀୟ ଥିବା ବେଳେ ପାନୀୟ ରଖିବାକୁ ମଧ୍ୟ ବାରଣ କରାଯାଇଛି । ଏଥିସହ ଏହି ଫ୍ରିଜରେ କେବଳ ନିରାମିଷ ଖାଦ୍ୟ ରଖିବା ପାଇଁ କୁହାଯାଇଛି ।
ଫ୍ରିଜର ମହତ ଉଦ୍ଦେଶ୍ୟକୁ ବୁଝିପାରି ଲୋକେ ଖାଦ୍ୟ ନଷ୍ଟ କରିବା ବନ୍ଦ କରି ବଳକା ଖାଦ୍ୟକୁ ଏହି ଫ୍ରିଜରେ ରଖିବା ଆରମ୍ଭ କରିଛନ୍ତି । ଆଉ ଏହି ଫ୍ରିଜରୁ ନିଜ ଇଚ୍ଛା ମୁତାବକ ଖାଦ୍ୟ ନେଇ ଖାଇବା ପରେ ଗରିବଗୁରୁବା ବି ଖୁସ୍ । ଭୋକିଲା ପେଟରେ ଦାନା ଟିକେ ପଡିବା ପରେ ବେଶ ଖୁସି ମନରେ ଫେରୁଛନ୍ତି ଗରିବ ଲୋକେ । ତେଣେ ଷ୍ଟେସନ ବଜାର କମିଟି ଓ ଫିଡିଂ ଇଣ୍ଡିଆର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ପ୍ରୟାସରେ ସହାୟତାର ହାତ ବଢାଇଛନ୍ତି ସାଧାରଣ ଲୋକେ ।
ସାଧାରଣ ଲୋକମାନେ ଏହି ପ୍ରୟାସକୁ ପ୍ରଶଂସା କରିବା ସହ ସ୍ବେଚ୍ଛାକୃତ ଭାବେ ଫ୍ରିଜରେ ଖାଦ୍ୟ ଦାନ କରୁଛନ୍ତି । ବର୍ତ୍ତମାନ ସମୟରେ ‘ଆପେ ବଞ୍ଚିଲେ ବାପାର ନାଁ’ ନିୟମ ଚାଲିଥିବା ବେଳେ ଗରିବ ଗୁରୁବାଙ୍କୁ ବା କିଏ ପଚାରେ । ତଥାପି ସେମାନଙ୍କୁ ସମାଜର ଏକ ଅଙ୍ଗ ଭାବି ସେମାନଙ୍କ ପେଟକୁ ଦି ଓଳିର ଦାନା ଯୋଗାଇବାକୁ ଆଗେଇ ଆସିଛନ୍ତି ଷ୍ଟେସନ ବଜାର କମିଟି ସଦସ୍ୟ । ଆଗାମୀ ଦିନରେ ଯଦି ସାରା ରାଜ୍ୟରେ ଏପରି କିଛି ଉଦ୍ୟମ ଦେଖିବାକୁ ମିଳେ, ତାହେଲେ ହୁଏତ ପୁଣି ହସି ଉଠିବ ଅନେକ ଗରିବ ପରିବାର ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ