ଭୁବନେଶ୍ବର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ମହା ସମାରୋହରେ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀ ଦିନ ସମଗ୍ର ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ ମଧ୍ୟ କରାଯିବ ।
ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରୂପାୟନ କମିଟି ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି । ପ୍ରାଥମିକ କାର୍ଯ୍ୟକ୍ରମ ଅନୁସାରେ ଗାନ୍ଧୀଜୟନ୍ତୀ ଦିନ ସକାଳେ ବିଧାନସଭା ପରିସରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ତା’ପୂର୍ବରୁ ଛାତ୍ରଛାତ୍ରୀ ତଥା ସଚେତନ ନାଗରିକମାନଙ୍କୁ ନେଇ ଏକ ମାନବଶୃଙ୍ଖଳ ଓ ରାଲି ଆୟୋଜନ କରାଯିବ । ପୂର୍ବାହ୍ନରେ ଗୀତଗୋବିନ୍ଦ ସଦନରେ ଓଡିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ଶିଳ୍ପୀ ଶିବିର ଆୟୋଜିତ ହେବ । ଉକ୍ତ ସମୟରେ ଜୟଦେବ ଭବନରେ ‘ଗାନ୍ଧୀକଥା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଓ ଏଥିରେ ଗାନ୍ଧୀବାଦୀ ବିଦ୍ବାନମାନେ ଯୋଗଦେବେ ।
ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ ମହାତ୍ମା ଗାନ୍ଧୀଙ୍କ ସଂପର୍କିତ ପୁସ୍ତକ ଗୁଡିକ ମଧ୍ୟ ସେଠାରେ ଲୋକାର୍ପିତ ହେବ । ସାହିତ୍ୟ ଏକାଡେମୀ ଓ ଊର୍ଦ୍ଦୁ ଏକାଡେମୀର ମିଳିତ ଆନୁକୂଲ୍ୟରେ ଗୀତଗୋବିନ୍ଦ ଭବନରେ ଗାନ୍ଧୀ ଏବଂ ସ୍ବାଧୀନତା ସଂଗ୍ରାମ ସଂପର୍କିତ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହେବ ।
ସେହିଦିନ ସନ୍ଧ୍ୟାରେ ଜୟଦେବ ଭବନରେ ଗାନ୍ଧୀଭଜନ ପରିବେଷଣ କରାଯିବ । ଏହି ଅବସରରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପ, ଜୟଦେବ ଭବନ, ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଅଭିଲେଖାଗାର, ସଂସ୍କୃତି ଭବନ, ଭଞ୍ଜକଳା ମଣ୍ଡପ ସମେତ କଟକର ସ୍ବରାଜ୍ୟ ଆଶ୍ରମ ଓ ନୌବାଣିଜ୍ୟ ସଂଗ୍ରହାଳୟରେ ଗାନ୍ଧିଜୀଙ୍କ ତୈଳଚିତ୍ର ସ୍ଥାପନ କରାଯିବ । ଖାଲି ଏତିକି ନୁହେଁ ରାଜ୍ୟ ଓ ଜିଲ୍ଲାସ୍ତରରେ ୧୫୦ ଗୋଟି ସ୍ଥାନରେ ଗାନ୍ଧୀ ଜୟନ୍ତୀ ଦିନ ବୃକ୍ଷରୋପଣ ସମେତ ଜିଲ୍ଲା ଗୁଡିକରେ କେତେକ ମାର୍ଗକୁ ଗାନ୍ଧୀ ମାର୍ଗରେ ନାମିତ କରାଯିବ । ଏହାସହ ସେହିଦିନ ଜିଲ୍ଲାପାଳ ମାନେ ଜିଲ୍ଲାସ୍ତରରେ ମଧ୍ୟ ଗାନ୍ଧୀଜୟନ୍ତୀ ଉପଲକ୍ଷେ ବିବିଧ କାର୍ଯ୍ୟକ୍ରମ ମାନ ଆୟୋଜନ କରିବେ ବୋଲି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି । ଗାନ୍ଧୀଜୀଙ୍କ ଏକ ବିଶାଳ ପ୍ରର୍ତ୍ତୀମୂର୍ତ୍ତୀ ମଧ୍ୟ ସ୍ଥାପନ କରାଯିବ ଓ ଉକ୍ତ ସ୍ଥାନକୁ ବିକଶିତ କରାଯିବ । ତେବେ ଏହି ପ୍ରତିମୂର୍ତ୍ତୀ କେଉଁଠି ସ୍ଥାପନ କରାଯିବ ତାହା ନିଷ୍ପତ୍ତି ହୋଇନାହିଁ । ଏହା ବ୍ୟତୀତ ବିଭିନ୍ନ ବିଭାଗ ଆନୁକୂଲ୍ୟରେ ମଧ୍ୟ ଗାନ୍ଧୀଜୀଙ୍କ ଜନ୍ମବାର୍ଷିକୀରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯିବ ବୋଲି କହିଛନ୍ତି ।
କାର୍ଯ୍ୟକ୍ରମ ରୂପାୟନ କମିଟି’ର ଏହି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ରାମଚନ୍ଦ୍ର ପଣ୍ଡା, ଗାନ୍ଧୀଦର୍ଶନ ପ୍ରବକ୍ତା ପ୍ରହଲ୍ଲାଦ ସିଂହ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଲିପସା ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ଶାସନ ସଚିବ ଶୁଭଶ୍ରୀ ନନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ