ଭୁବନେଶ୍ବର: ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ଜାରି ହେଲା ମାର୍ଗଦର୍ଶିକା । ଅଭିଭାବକଙ୍କ ଅନୁମତି ନେଇ ଛାତ୍ରଛାତ୍ରୀ ସ୍କୁଲକୁ ଆସିପାରିବା ସହ ଚାହିଁଲେ ଅନଲାଇନରେ ମଧ୍ୟ ପାଠ ପଢ଼ି ପାରିବେ ବୋଲି ଏହି ମାର୍ଗଦର୍ଶିକାରେ ଉଲ୍ଲେଖ କରିଛନ୍ତି ସରକାର । ସେହିପରି ଗୋଟିଏ ଶ୍ରେଣୀଗୃହରେ ସର୍ବାଧିକ 25 ଜଣ ଛାତ୍ରଛାତ୍ରୀ ବସିପାରିବେ । ସମସ୍ତ କ୍ଲାସରୁମକୁ ସଠିକ୍ ଭାବେ ସାନିଟାଇଜ୍ କରାଯିବା ସହ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ମାକ୍ସ ପରିଧାନ ମଧ୍ୟ ବାଧ୍ୟତାମୂଳକ ମଧ୍ୟ କରାଯାଇଛି ।
ସେହିପରି କ୍ଲାସରୁମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ 6 ଫୁଟ୍ ଦୂରତା ରହିବା ଆବଶ୍ୟକ । ଆବଶ୍ୟକ ସ୍ଥଳେ 50 ପ୍ରତିଶତ କ୍ଷମତାରେ ସ୍କୁଲ ବସ୍ ଚଲାଇବାକୁ SOPରେ କୁହାଯାଇଛି । ସ୍କୁଲରେ ହାତ ଧୋଇବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ରହିବ । ସ୍କୁଲକୁ ଏଣ୍ଟ୍ରି ପଏଣ୍ଟରେ ସାନିଟାଇଜ କରିବା ସହ ମାସ୍କ ପରିଧାନ ତଦାରଖ କରାଯିବ। ତେବେ ପିଲାଙ୍କର କ୍ଳାସରୁମକୁ ପ୍ରବେଶ କରିବା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କର ଶରୀରର ତାପମାତ୍ରା ମଧ୍ୟ ଯାଞ୍ଚ କରିବେ ସ୍କୁଲ କର୍ତ୍ତୃପକ୍ଷ ।
ସେହିପରି କଣ୍ଟେନମେଣ୍ଟ ଜୋନରେ ଥିବା ବିଦ୍ୟାଳୟ ଖୋଲିବ ନାହିଁ । ସ୍କୁଲକୁ ଆସୁଥିବା ଛାତ୍ରଛାତ୍ରୀ ଘରୁ ଖାଇବା ନେଇ ସ୍କୁଲକୁ ଆସିବେ । ବାହାର ଜିନିଷ କିଣିବା ପାଇଁ କୌଣସି ଅନୁମତି ନଥିବା ବେଳେ ଖେଳ କ୍ଳାସ ଏବଂ ଖାଇବା ଛୁଟି ରହିବ ନାହିଁ ।ପିଲାମାନଙ୍କର ନିରାପତ୍ତା ଏବଂ ଶାରୀରିକ ଦୂରତା ପ୍ରୋଟୋକଲ ଗୁଡ଼ିକୁ ଦୃଷ୍ଟିରେ ରଖି କ୍ଲାସ୍ ପରିଚାଳନା ପାଇଁ ଅସ୍ଥାୟୀ ସ୍ଥାନ କିମ୍ବା ବାହ୍ୟ ସ୍ଥାନ ଗୁଡିକ ମଧ୍ୟ ବ୍ୟବହାର କରାଯାଇପାରିବ । କୌଣସି ଛାତ୍ରଛାତ୍ରୀ କିମ୍ବା କର୍ମଚାରୀଙ୍କ ଠାରେ କୋଭିଡର ଲକ୍ଷଣ ଦେଖାଗଲେ ତାଙ୍କୁ ଅନ୍ୟମାନଙ୍କ ଠାରୁ ପୃଥକ ରଖିବା ପାଇଁ ଆଇସୋଲେସନ ରୁମର ବ୍ୟବସ୍ଥା ମଧ୍ୟ କରିବା ପାଇଁ ହେବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ