ଭୁବନେଶ୍ବର: ପୌରପରିଷଦ ଓ ମହାନଗର ନିଗମ ନିର୍ବାଚନ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ୨୯ ତାରିଖରେ ପୌରାଞ୍ଚଳମାନଙ୍କରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ମ୍ୟୁନିସପାଲ ଅଧିନିୟମ ୧୯୫୦ ଅନ୍ତର୍ଗତ ନିୟମ ୨ ( ୫ ) ଅନୁଯାୟୀ ପ୍ରକାଶ କରିବେ । ଜିଲ୍ଲାପାଳମାନଙ୍କୁ ଏ ନେଇ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।
ଜିଲ୍ଲାପାଳଙ୍କୁ ପଠାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଜିଲ୍ଲାପାଳମାନେ ଆସନ୍ତା ୯ ତାରିଖ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଏନେଇ ଆପତ୍ତି ଓ ଅଭିଯୋଗ ନଭେମ୍ବର ୧୮ ପର୍ଯ୍ୟନ୍ତ ଗ୍ରହଣ କରାଯିବ । ସେହିପରି ନଭେମ୍ବର ୨୯ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜିଲ୍ଲାପାଳ ମାନଙ୍କ ଦ୍ଵାରା ପ୍ରକାଶିତ ବିଜ୍ଞପ୍ତି ଉପରେ ଗୃହ ଓ ନଗର ଉନ୍ନୟନ ବିଭାଗ ପାଖରେ ନଭେମ୍ବର ୨୯ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ଆପତ୍ତି (ଅପିଲ୍) ଦାଖଲ କରାଯାଇ ପାରିବ । ଉପରୋକ୍ତ କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି ୫ ଟି ମହାନଗର ନିଗମ ମଧ୍ୟରୁ କଟକ , ଭୁବନେଶ୍ଵର ଓ ବ୍ରହ୍ମପୁର ମହାନଗର ନିଗମରେ ୱାର୍ଡ ସୀମା ନିଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ସଂପର୍କିତ ତଥ୍ୟ ଆସନ୍ତା ୧୫ ତାରିଖ ସୁଦ୍ଧା ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗରେ ଦାଖଲ କରିବାକୁ କୁହାଯାଇଛି । ବିଭାଗ ତରଫରୁ ଡିସେମ୍ବର ୧୦ରେ ଏ ନେଇ ଚିଠା ତାଲିକା ପ୍ରକାଶ ପାଇବ । ପ୍ରକାଶିତ ଚିଠା ତାଲିକା ଉପରେ ଡିସେମ୍ବର ୧୯ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବା ସହିତ ଜାନୁଆରୀ ୨୦ ପୂର୍ବରୁ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ଏ ନେଇ ଉପରୋକ୍ତ ୩ ଗୋଟି ମହାନଗର ନିଗମର କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ୧୧୪ ଗୋଟି ୟୁ.ଏଲ୍.ବି ମଧ୍ୟରେ ୫ଟି ମହାନଗର ନିଗମ, ୪୮ଟି ମ୍ୟୁନିସିପାଲିଟି ଓ ୭୧ ଟି ଏନ୍.ଏ.ସି ରହିଛି । ୫ ଟି ମହାନଗର ନିଗମ ମଧ୍ୟରୁ ଅଦାଲତରେ ମାମଲା ଯୋଗୁଁ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇନାହିଁ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ