ଭୁବନେଶ୍ବର: ବିଦ୍ୟୁତ ବିଲ ବୃଦ୍ଧି ନେଇ ବିଧାନସଭାରେ ମିଛ କହିଛନ୍ତି ସରକାର । ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ।
ରାଜ୍ୟ ସରକାରଙ୍କ ପକ୍ଷରୁ ଗତ 2ଦିନ ତଳେ ଦିଆଯାଇଥିବା ବିବୃତି ଉପରେ ନିଜର ମନ୍ତବ୍ୟ ରଖିଛନ୍ତି ଶ୍ରୀକାନ୍ତ ଜେନା। ବିଧାନସଭାର ପବିତ୍ର ଗୃହରେ ମନ୍ତ୍ରୀ ରାଜ୍ୟବାସୀଙ୍କୁ ବିଜୁଳି ଦର ବାବଦରେ ମିଥ୍ୟା ତଥ୍ୟ ଦେଇ ଭ୍ରମିତ କରୁଥିବା ସେ ଅଭିଯୋଗ କରିଛନ୍ତି ।
ମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ ବିଗତ 7 ବର୍ଷ ମଧ୍ୟରେ ରାଜ୍ୟରେ ବିଜୁଳି ବିଲ ବୃଦ୍ଧି ହୋଇନାହିଁ। ଯାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଶ୍ରୀକାନ୍ତ । ରାଜ୍ୟ ସରକାର ବର୍ଷ 2013-14ରେ ୟୁନିଟ ପିଛା 10 ପଇସା, 2015-16 ରେ 20 ପଇସା, 2017-18 ରେ 10 ପଇସା ବୃଦ୍ଧି କରିଛନ୍ତି । ସେହିପରି ବିପିଏଲ ପାଇଁ ମାସିକ 15 ଟଙ୍କା ବୃଦ୍ଧି କରିବା ସହ କୃଷକମାନଙ୍କ ପାଇଁ ୟୁନିଟ ପିଛା 40 ପଇସା ମଧ୍ୟ ବୃଦ୍ଧି କରିଛନ୍ତି ।
କୋରୋନା କାଳରେ ଓ ମୁଣ୍ଡପିଛା ଆୟରେ ଅନ୍ୟ ରାଜ୍ୟଙ୍କ ଠାରୁ ଓଡିଶାର କମ ରହିଛି । ଏପରି ସ୍ଥିତିରେ ରାଜ୍ୟ ସରକାର ବିଦ୍ୟୁତ ଦର ବୃଦ୍ଧି କରି ସାଧାରଣ ଜନତାଙ୍କ ଉପରେ ବୋଝ ଲଦି ଦେବାକୁ ଚାହୁଁଥିବା କହିଛନ୍ତି ଶ୍ରୀକାନ୍ତ ଜେନା ।
ଦିଲ୍ଲୀର ଉଦାହରଣ ଦେବା ସହ କହିଛନ୍ତି, କେଜ୍ରିୱାଲ ସରକାର ବାହାର ରାଜ୍ୟରୁ ବିଦ୍ୟୁତ କ୍ରୟ କରିବା ସତ୍ତ୍ବେ ବହୁ କମ ଦାମରେ ଲୋକଙ୍କୁ ପ୍ରଦାନ କରୁଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ବିଜୁଳି ଉତ୍ପାଦନ ହେଉଥିବାବେଳେ, GRIDCO /OPTCL ଦ୍ବାରା ବାହାର ରାଜ୍ୟରୁ ବିଦ୍ୟୁତ କିଣାଯାଉଛି । ଯାହାର କୌଣସି ପ୍ରକାର ଅଡିଟ ହେଉ ନଥିବାବେଳେ ଏହା ମାଧ୍ୟମରେ ବଡ଼ ଧରଣର ଦୁର୍ନୀତି ହେଉଛି । ଯାହାର ବୋଝ ରାଜ୍ୟବାସୀଙ୍କ ମୁଣ୍ଡ ଉପରେ ଲଦି ଦିଆଯାଉଛି ।
ଅନ୍ୟ ରାଜ୍ୟମାନଙ୍କରେ କୃଷକମାନଙ୍କୁ ମାଗଣାରେ ବିଜୁଳି ଦିଆଯିବା ସହିତ ଉପଭୋକ୍ତାଙ୍କୁ ସବସିଡି ଦିଆଯାଉଥିବା ସେ କହିଛନ୍ତି । ଯାହାକି କେବଳ ଓଡ଼ିଶାରେ ହିଁ ହେଉନାହିଁ । ତେଣୁ ଏ ସବୁ ଉପରେ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବା ସହ ରାଜ୍ୟବାସୀଙ୍କୁ ଏହାର ସ୍ପଷ୍ଟୀକରଣ ଦେବାକୁ ଶ୍ରୀକାନ୍ତ ଜେନା କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ