ଭୁବନେଶ୍ବର: ମୂଳ ପରିମଳ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା "ଗରିମା" ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗରିମା ଯୋଜନାରେ ମୂଳ ପରିମଳ କର୍ମଚାରୀଙ୍କ ସାମାଜିକ ଓ ଆର୍ଥନୈତିକ ବ୍ୟବସ୍ଥାରେ ଉନ୍ନତି ଆଣିବ । ପରିମଳ କାର୍ଯ୍ୟରେ ଥିବା ମଳ ସଫେଇ ବ୍ଯବସ୍ଥାକୁ ଉଚ୍ଛେଦ କରିବା ସହ ଏହି ଯୋଜନାରେ ଅବେହେଳିତ ବର୍ଗଙ୍କ ପାଇଁ ସରକାର ମୂଳ ପରିମଳ କର୍ମଚାରୀଙ୍କ ସମ୍ମାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ।
ଏହି ଯୋଜନାରେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ପ୍ରାୟ ୨୦ ହଜାର ମୂଳ ପରିମଳ କର୍ମଚାରୀ ଓ ତାଙ୍କ ପରିବାରଙ୍କୁ ନେଇ ମୋଟ ୧ ଲକ୍ଷ ଲୋକ ଉପକୃତ ହେବେ । ଗରିମା ଯୋଜନାରେ ଜାତୀୟ ଓ ରାଜ୍ୟ ଆଇନ ଉପରେ ଗୁରୁତ୍ୱ ଦିଆଯାଇଛି । ଚିହ୍ନଟ ଓ ପଞ୍ଜିକରଣ କରାଯିବା ସହ ମେସିନ ଯୋଗାଇ ଦିଆଯିବ । ଦକ୍ଷତା ବୃଦ୍ଧି ପାଇଁ ତାଲିମ ଦିଆଯିବ ।
ଏହାସହ ସ୍ଵତନ୍ତ୍ର ବର୍ଗ ବେତନ, ସ୍ଵତନ୍ତ୍ର ଭତ୍ତା, ଆହତ କିମ୍ବା ଦୁର୍ଘଟଣା ହେଲେ ପରିବାରଙ୍କୁ ଆର୍ଥିକ ସହାୟତା । ଗୃହ ଓ ବାଇକ କିଣିବା ଆର୍ଥିକ ସହାୟତା । ଇପିଏଫ ଅବସର କାଳୀନ ସୁବିଧା ସହ ସ୍ଵାସ୍ଥ୍ୟଯାଞ୍ଚ ବ୍ୟବସ୍ଥା ଓ ଜୀବନ ବୀମା ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଏହାସହ ସେମାନଙ୍କ ପରିବାର ପିଲା ମାନଙ୍କୁ ପିଜି ପଢିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ଏଥିପାଇଁ ୫୦ କୋଟି ଟଙ୍କାର କର୍ପସ ଫଣ୍ଡ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ