ଭୁବନେଶ୍ବର: ଦିନକୁ ଦିନ ନୂଆ ନୂଆ ପନ୍ଥା ଆପଣେଇ ରାଜ୍ୟରେ ବଢି ଚାଲିଛି ଗଞ୍ଜେଇ ବେପାର । ଏକ ବଡ ଧରଣର ଗଞ୍ଜେଇ ଚୋରାଚାଲାଣକୁ ପଣ୍ଡ କରିଛି ଭୁବନେଶ୍ୱର ଆରପିଏଫ ଟିମ । ଭୁବନେଶ୍ୱର ଷ୍ଟେସନ ଦେଇ ଦିଲ୍ଲୀକୁ ଗଞ୍ଜେଇଚାଲାଣ ଯୋଜନା ବେଳେ ଭଣ୍ଡୁର କରିଛି ଆରପିଏଫ । ଷ୍ଟେସନରୁ ୧୦ଲକ୍ଷ ଟଙ୍କାର ଗଞ୍ଜେଇ ସହ ତିନିଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଆଉ ଦୁଇଜଣ ଯୁବକ ରହିଛନ୍ତି।
ସୂଚନାଅନୁସାରେ, ପଲାସାରୁ ଜଣେ ମହିଳା କାଲିମା ଖରାଡା ଓ ଦୁଇ ଯୁବକ ରାଜେଶ୍ବର ଭୁୟାଁ ଓ ଗୋବିନ୍ଦ ମଣ୍ଡଳ ମିଶା ୫ଟି ବଡ଼ବଡ଼ ପ୍ୟାକେଟ ଜରିଆରେ ପ୍ରଶାନ୍ତି ଏକ୍ସପ୍ରେସ ଯୋଗେ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିଥିଲେ । ଘର କରଣା ସାମଗ୍ରୀ କହି ପରିବାର ଲୋକ ଦିଲ୍ଲୀ ଯାଉଥିବା କହିଥିଲେ । ହେଲେ ଆରପିଏଫର ସନ୍ଦେହ ହେବାରୁ ଚଢାଉ କରି ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ତିନି ଜଣକୁ ଗିରଫ କରିଛି ।
ଆରପିଏଫଙ୍କ କହିବାନୁସାରେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ । ମହିଳାକୁ ମୋହରା କରି ଟ୍ରେନରେ ଏପରି ଗଞ୍ଜେଇ ଚାଲାଣ କରୁଥିବା ଘଟଣା ସାମ୍ନାକୁ ଆସିଛି । ଏନେଇ ଗଞ୍ଜେଇ ଚାଲାଣ ଉପରେ ନଜର ରଖାଯାଇଥିବା କହିଛନ୍ତି ଆରପିଏଫ ଆଇଆଇସି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ