ଭୁବନେଶ୍ବର: ପୁଣି ପୋଲିସ ଚାକିରି ନାଁରେ ଠକାମୀ । ଓଡିଶା ପବ୍ଲିକ ସର୍ଭିସ କମିଶନରେ ଚାକିରି କରାଇଦେବାକୁ କହି ଦେଢ କୋଟି ହଡପ କରିଥିବା 2 ଅଭିଯୁକ୍ତ ଗିରଫ । ଉଭୟଙ୍କୁ ଅର୍ଥନୈତିକ ଅପରାଧ ଶାଖା(EOW) ଟିମ୍ ଗିରଫ କରି କୋର୍ଟଚାଲାଣ କରିଛି ।
ସୂଚନା ଅନୁଯାୟୀ ଭୀମଶେନ ମହାରଣା ଏବଂ ବୈକୁଣ୍ଠ ନାଥ ନାୟକ ନାମକ 2 ବ୍ୟକ୍ତି କମ୍ବାଇନ ପୋଲିସ ସର୍ଭିସ ଏଣ୍ଟ୍ରାନ୍ସରେ ଚାକିରି କରାଇଦେବାକୁ କହି 38 ଜଣଙ୍କୁ ଠକିଥିଲେ । ନିଜକୁ ଅଫିସରର ପରିଚୟ ଦେଇ ଠକି ନେଇଛନ୍ତି ଦେଢ କୋଟିରୁ ଊର୍ଦ୍ଧ୍ବ ଟଙ୍କା । 2013 ମସିହାରେ ଚାକିରି ପ୍ରତିଶ୍ରୁତି ଦେଇ ଏମାନଙ୍କ ଠାରୁ ଟଙ୍କା ହଡପ କରିଥିଲେ । ମାତ୍ର 2016ରେ ମେରିଟ୍ ଲିଷ୍ଟ ଆସିଥିଲେ ମଧ୍ୟ ସେମାନଙ୍କ ନାମ ଆସିନଥିଲା । ପରେ ରିଚେକିଂ ଲିଷ୍ଟରେ ଚାକିରି ହୋଇଯିବ କହିଥିଲେ ।
ଏସଆଇ, ସରଜାଣ୍ଟ, ହାବିଲଦାର ଆଦି ପୋଷ୍ଟ ପାଇଁ ଇଣ୍ଟର୍ଭ୍ୟୁ ଦେଇଥିବା ପିଲାଙ୍କ ପିଛା 6 ରୁ 7 ଲକ୍ଷ ଟଙ୍କା ନେଇଥିଲେ । ଏନେଇ EOWରେ ଅଭିଯୋଗ ହେବା ପରେ ଉଭୟଙ୍କୁ ଗିରଫ କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ