ଭୁବନେଶ୍ବର: ଜାତିଭିତିକ ଜନଗଣନା ଓ ସଂରକ୍ଷଣ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ କରିବା ପ୍ରସଙ୍ଗ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଆସନ୍ତା ବିଧାନସଭା ଅଧିବେଶନରେ ଏନେଇ ଏକ ପ୍ରସ୍ତାବ ବିଧାନସଭାରେ ସର୍ବସମ୍ମତରେ ପାରିତ କରିବା ପାଇଁ ଶ୍ରୀକାନ୍ତ ଅନୁରୋଧ କରିଛନ୍ତି ।
ପ୍ରସ୍ତାବ ପାରିତ ହେବା ପରେ ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ । ଏହା ଦ୍ୱାରା ଆପଣଙ୍କର ସାମାଜିକ ନ୍ୟାୟ ପ୍ରତି ପ୍ରତିବଦ୍ଧତା ସ୍ପଷ୍ଟ ହେବା ସଙ୍ଗେ ସଙ୍ଗେ ସଂରକ୍ଷଣରୁ ବଞ୍ଚିତ ସମାଜର ଅତ୍ୟନ୍ତ ଗରିବ ଲୋକଙ୍କୁ ନ୍ୟାୟ ମିଳିପାରିବ ବୋଲି ଶ୍ରୀକାନ୍ତ କହିଛନ୍ତି ।
ଶ୍ରୀକାନ୍ତ କହିଛନ୍ତି ଯେ, ଜାତିଭିତିକ ଜନଗଣନା ଓ ୫୦ ପ୍ରତିଶତ ସଂରକ୍ଷଣକୁ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଦେଶର ଅଧିକାଂଶ ରାଜନୈତିକ ଦଳ ଓ ରାଜ୍ୟ ସରକାରମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଏ ସମ୍ପର୍କରେ ନିଜର ଦୃଢ ଯୁକ୍ତି ଉପସ୍ଥାପନ କରୁଛନ୍ତି । ଓଡିଶା ଜନସଂଖ୍ୟାର ୯୪ ପ୍ରତିଶତ ଲୋକ ଆଦିବାସୀ-ଦଳିତ ଓ ପଛୁଆବର୍ଗର । ଯାହା ୧୯୩୧ ମସିହାର ଜାତିଭିତିକ ଜନଗଣନାରୁ ସ୍ପଷ୍ଟ । ସାମାଜିକ ଓ ଆର୍ଥିକ ନ୍ୟାୟରୁ ଯେଉଁ ଜାତିର ଲୋକେ ବଂଚିତ ଅଛନ୍ତି ଓ ସେମାନଙ୍କୁ କିପରି ସମାଜର ଅନ୍ୟମାନଙ୍କ ସ୍ତରକୁ ଅଣାଯାଇ ପାରିବ ଜାତିଭିତିକ ଜନଗଣନା ଏ ଦିଗରେ ଏକ ବଡ଼ ସହାୟକ ହେବ । କେନ୍ଦ୍ର ସରକାର ଜାତିଭିତିକ ଜନଗଣନାକୁ ନ କରିବାର ନିଷ୍ପତ୍ତି ନେଇଛନ୍ତି । ଏପରିକି ୟୁପିଏ ସରକାରଙ୍କ ସମୟରେ ଜାତି ଓ ଆର୍ଥିକ ସ୍ଥିତି ସମ୍ପର୍କୀୟ ଜନଗଣନାର ରିପୋର୍ଟକୁ ମଧ୍ୟ ବର୍ତମାନର କେନ୍ଦ୍ର ସରକାର ପ୍ରକାଶ କରୁନାହାନ୍ତି । ଏ ନିଷ୍ପତ୍ତିକୁ କିନ୍ତୁ କେନ୍ଦ୍ର ସରକାରଙ୍କୁ ବଦଳାଇବାକୁ ପଡ଼ିବ ।
ଜାତିଭିତିକ ଜନଗଣନା ଓ ସଂରକ୍ଷଣ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ପାଇଁ ଆସନ୍ତା ବିଧାନସଭା ଅଧିବେଶନରେ ଏକ ପ୍ରସ୍ତାବ ଗ୍ରହଣ କରାନ୍ତୁ । ମୋର ବିଶ୍ୱାସ ଏହି ପ୍ରସ୍ତାବ ବିଧାନସଭାରେ ସର୍ବସମ୍ମତରେ ଗ୍ରହଣ ହେବ । ପ୍ରସ୍ତାବ ପାରିତ ହେବା ପରେ ଏକ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ଆପଣଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ । ଏହା ଦ୍ୱାରା ଆପଣଙ୍କର ସାମାଜିକ ନ୍ୟାୟ ପ୍ରତି ପ୍ରତିବଦ୍ଧତା ସ୍ପଷ୍ଟ ହେବା ସଙ୍ଗେ ସଙ୍ଗେ ସଂରକ୍ଷଣରୁ ବର୍ତିତ ସମାଜର ଅତ୍ୟନ୍ତ ଗରିବ ଲୋକଙ୍କୁ ନ୍ୟାୟ ମିଳିପାରନ୍ତା । ଶିକ୍ଷା କ୍ଷେତ୍ରରେ ତୁରନ୍ତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାନ୍ତୁ ।
ଅନ୍ୟବର୍ଗର ଆର୍ଥିକ ଅନଗ୍ରସର (ଇଡବ୍ଲୁଏସ୍)ଙ୍କ ପାଇଁ ୧୦ ପ୍ରତିଶତ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦିଆଯିବା ପରେ ୫୦ ପ୍ରତିଶତ ୬୦ ପ୍ରତିଶତ ହୋଇସାରିଛି । କେବଳ ପଛୁଆବର୍ଗଙ୍କ ପାଇଁ ଏହି ସଂରକ୍ଷଣ କାହିିଁକି ୫୦ ପ୍ରତିଶତରେ ସୀମିତ ରଖାଯିବ? ଆମ ରାଜ୍ୟର ଅନୁସୁଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ୩୯ ପ୍ରତିଶତ ଯାହା ଜାତୀୟ ସ୍ତରରେ ୨୨ ପ୍ରତିଶତ । ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତି ଯୋଗୁ ରାଜ୍ୟର ପଛୁଆବର୍ଗ ୨୭% ସଂରକ୍ଷଣ ପାଇବାରୁ ବହୁଦିନ ହେଲା ବଞ୍ଚିତ ରହିଛନ୍ତି ।
ଓଡ଼ିଶାର ଏହି ବସ୍ତୁସ୍ଥିତିକୁ ସୁପ୍ରିମକୋର୍ଟଙ୍କ ଦୃଷ୍ଟିକୁ ନ ଆଣିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟର ୫୨ ଭାଗ ପଛୁଆ ବର୍ଗଙ୍କ ବୃହତ୍ତର ସ୍ୱାର୍ଥ ପାଇଁ ଗୁରୁତ୍ୱର ସହ ବିଚାର କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ଶ୍ରୀକାନ୍ତ ଅନୁରୋଧ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ