ଭୁବନେଶ୍ବର: ପଦ୍ମ ଧରିଲେ ପୂର୍ବତନ କଂଗ୍ରେସ ନେତା ମନୋଜ ମହାପାତ୍ର । ଗତ ଜୁନ ମାସରେ ମନୋଜ ମହାପାତ୍ର କଂଗ୍ରେସ ଛାଡ଼ିଥିଲେ । ମଙ୍ଗଳବାର ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ମନୋଜ ।
ଗତ ଜୁନ ମାସରେ କଂଗ୍ରେସ ଦଳର ମୁଖପାତ୍ର ଦାୟିତ୍ବରେ ଥିବା ମନୋଜ ମହାପାତ୍ର ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହା ସହିତ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ମନୋଜ । ଇସ୍ତଫା ପତ୍ରରେ ମନୋଜ ଦଳର ନେତୃତ୍ବଙ୍କ ବିରୋଧରେ ବିଷୋଦଗାର କରିଥିଲେ । କିଛିଦିନ ହେବ ସାଧାରଣ ଲୋକଙ୍କ ଆଶା ପୂରଣ ଲାଗି ଦଳରେ ଆଉ ଜାଗା ନଥିବା ସେ ଅନୁଭବ କରୁଥିବା ଲେଖି କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ କଂଗ୍ରେସ ବିଧାୟକ ଦଳର ନେତା ନରସିଂହଙ୍କ ନିକଟକୁ ପଠାଇଥିଲେ ।
ତେବେ ମଙ୍ଗଳବାର ଯାଜପୁର ବରି ଅଞ୍ଚଳର ଶହ ଶହ ସମର୍ଥକଙ୍କ ସହିତ ମନୋଜ ମହାପାତ୍ର ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହା ସହ ଯାଜପୁର ଜିଲ୍ଳା ବିଜେଡ଼ିର ଅନେକ ନେତା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ବରି ବ୍ଳକ ଅଧ୍ୟକ୍ଷ ଅମଳେନ୍ଦୁ ବେଉରା ଏବଂ ପବିତ୍ର ମୋହନ ମହାପାତ୍ରଙ୍କ ସମେତ ବିଶିଷ୍ଟ ଲେଖିକା ପ୍ରୀତିପ୍ରଭା ଏବଂ ସମାଜସେବୀ ସୁରଜ ମିଶ୍ର ମଧ୍ୟ ବିଜେପିରେ ଯୋଗ ଦାନ କରିଛନ୍ତି । ତେବେ ବିଜେପିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିକୁ ବାଛିଥିବା କହିଛନ୍ତି ମନୋଜ ମହାପାତ୍ର ।
ଇଟିଭି ଭାରତ, ଭୁବନେଶ୍ବର