ଭୁବନେଶ୍ବର: ପୂର୍ବରୁ ପଶ୍ଚିମ, ଉପକୂଳରୁ ଉପାନ୍ତ । ସାରା ରାଜ୍ୟରେ ପାଣି ପାଣି ଆଉ ପାଣି । ମହାନଦୀ ଗର୍ଭ ଉଛୁଳିବା ପରେ ଅବବାହିକାରେ ଆସିଲା ପ୍ରଳୟଙ୍କାରୀ ବନ୍ୟା । ପ୍ରଭାବିତ ହେଲେ 11 ଜିଲ୍ଲା । ବଢିଲା ବିପନ୍ନଙ୍କ ଦୁର୍ଦ୍ଦଶା । ବ୍ୟାପକ ହେଲା କ୍ଷୟକ୍ଷତି । ନଷ୍ଟ ହେଲା ଚାଷ ଜମି । ଜଳମୟ ହେଲା ଅଧା ରାଜ୍ୟ । ଏବେ ପୁଣି ବୁଢାବଳଙ୍ଗ ସୁବର୍ଣ୍ଣରେଖାରେ ଆସିଛି ବନ୍ୟା । ବିପନ୍ନଙ୍କ ଏହି ଦୁର୍ଦ୍ଦଶା ବେଳେ ଏବେ ବଢିଛି ରାଜନୀତି ।
ଗତ 12 ତାରିଖରୁ ରାଜ୍ୟରେ ବର୍ଷା ବଢିବା ସହ ମହାନଦୀ (Mahanadi River) , ତେଲ ନଦୀ(Tel River) ଫୁଲିବାରେ ଲାଗିଲା । ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ସହ ହୀରାକୁଦ ଗେଟ ଖୋଲିବା ପରେ ମହାନଦୀରେ ଆସିଲା ବଡ ବନ୍ୟା। ଅବବାହିକାରେ ଥିବା ସମ୍ବଲପୁର, ସୋନପୁର, ବୌଦ୍ଧ, ଆଠମଲ୍ଲିକ, ନୟାଗଡ, ପୁରୀ, କେନ୍ଦ୍ରାପଡା, ଜଗତସିଂପୁର କଟକ ଖୋର୍ଦ୍ଧା ଜିଲ୍ଲାରେ ଭୟଙ୍କର ବନ୍ୟା ଆସିଲା । ବନ୍ୟାର ବ୍ୟାପକ ପ୍ରଭାବରେ ଲୋକେ ତ୍ରାହି ତ୍ରାହି ଡାକିଲେ । ବିପନ୍ନଙ୍କ ସୁରକ୍ଷା, ଉଦ୍ଧାର ପାଇଁ ସରକାର ଯେତେ ଘୋଷଣା କଲେ ମଧ୍ୟ ବିରୋଧୀଙ୍କ ଅଭିଯୋଗ ସରକାର ବନ୍ୟା ପରିଚାଳନରେ ବିଫଳ ହୋଇଛନ୍ତି ।
ଭାରତୀୟ ଜନତା ପାର୍ଟି ବିଜେପି (Bharatiya Janata Party) ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଦଳ ଅଭିଯୋଗ କରିଛି ବନ୍ୟା ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ । ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଦଳ ଅନୁଧ୍ୟାନ କରି ଫେରିବା ପରେ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛି । ଦଳୀୟ ନେତା ‘‘ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ବନ୍ୟା ପରିଚାଳନରେ ସରକାର ବିଫଳ । ବିଶେଷ କରି ହୀରାକୁଦ କର୍ଭ ରୁଲ ସରକାର ପାଳନ କରିନାହାଁନ୍ତି । ଛତିଶଗଡ ସହ ସମନ୍ବୟ ରଖିନାହାଁନ୍ତି । ବର୍ଷା ଋତୁ ପୂର୍ବରୁ ଦୁର୍ବଳ ନଦୀବନ୍ଧ ଯାଞ୍ଚ କରାଯିବାର ନିୟମ ଥିଲେ ମଧ୍ୟ ତାହା ହେଉନାହିଁ । ଯାହା ଫଳ ଭୋଗୁଛନ୍ତି ଲକ୍ଷ ଲକ୍ଷ ବନ୍ୟା ବିପନ୍ନ ।’’
ସେପଟେ ବିରୋଧୀ ବିଜେପିର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି ସବୁ ପ୍ରସଙ୍ଗରେ ରାଜନୀତି କରିବା ଓଡିଶା ବିଜେପିର ପୁରୁଣା ଅଭ୍ୟାସ । ରାଜ୍ୟ ସରକାର ନିଜ ଦାୟିତ୍ବ ଠିକ ଭାବେ କରୁଛନ୍ତି । ସମସ୍ତ ବିପନ୍ନଙ୍କୁ ସହାୟତା କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିଜେପି ସମାଲୋଚନା ବଦଳରେ ଲୋକଙ୍କ ସେବା କରୁ । ରାଜନୀତି ଛାଡି ଲୋକଙ୍କ ପାଖକୁ ଯାଉ । କୁତ୍ସିତ ରାଜନୀତି କଲେ ଲୋକ ତାର ଜବାବ ବିଜେପିକୁ ଦେବେ ।
ଅନ୍ୟପଟେ ରାଜନୀତି ସମୀକ୍ଷକ ତଥା ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ (Senior Journalist Rajaram Satapathy ) କହିଛନ୍ତି, ସରକାର ପ୍ରାକୃତିକ ବିପର୍ଯ୍ୟୟ ବେଳେ କ୍ଷତିପୂରଣ ଦେବା ପାଇଁ ଅଧିକ ପ୍ରସ୍ତୁତ ରହୁଛନ୍ତି । ହେଲେ ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ପାଇଁ କୌଣସି ଉଦ୍ୟମ କରିନାହାଁନ୍ତି । ବିପନ୍ନଙ୍କୁ ଚୁଡା ଚାଉଳ ବାଣ୍ଟି କାମ ସାରିଦେଉଛନ୍ତି । ବାସ୍ତବିକ ବନ୍ୟାକୁ ନିୟନ୍ତ୍ରଣ କରିବାର ଦିଗ ଉପରେ ଗୁରୁତ୍ବ ଦେଉନାହାନ୍ତି । ହୀରାକୁଦକୁ ଛାଡିଦେଲେ ଅନ୍ୟ ବ୍ୟାରେଜ ନିର୍ମାଣ ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାର କାର୍ଯ୍ୟନ୍ବୟନରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଗତ 22 ବର୍ଷରେ ଗୋଟିଏ ହେଲେ ହୀରାକୁଦ ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରିନାହାଁନ୍ତି ।
ତେବେ ବିପର୍ଯ୍ୟୟ ବେଳେ ରାଜନୈତିକ ଦଳଙ୍କ ଏହି ଆରୋପ ପ୍ରତ୍ୟାରୋପ ରାଜନୀତି ବିପନ୍ନଙ୍କୁ କେତେ ସହାୟକ ହେବ ? ଏଥିରୁ ବନ୍ୟା ପ୍ରଭାବିତ ପାଇବେ କଣ ? ଏବେ ବି ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଜୁଳି ପାନୀୟ ଜଳ ପାଇବା ବଡ ସ୍ବପ୍ନ ହୋଇଛି । ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ପ୍ରତିବର୍ଷ ରାଜ୍ୟ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସାମନା କରୁଛି । କେବେ ହେବ ସ୍ଥାୟୀ ପ୍ରତିକାର । ସରକାର ହୀରାକୁଦ ତଳମୁଣ୍ଡରେ କେବେ କରିବେ ସ୍ଥାୟୀ ପ୍ରତିକାର ।
ଭୁବନେଶ୍ବରରୁ ଲାଲ ମୋହନ ପଣ୍ଡା, ଇଟିଭି ଭାରତ