ଭୁବନେଶ୍ବର: କାନ୍ଦ ବୋବାଳିରେ ଫାଟୁଛି ଘର । ପୁଅକୁ ଝୁରି ଝୁରି ପରିବାର ଓ ପରିଜନଙ୍କ ଆଖିରୁ ଥମୁନି ଲୁହ । ଶେଷ ଥର ପାଇଁ ଗେଲ ଟିକେ କରି ମା' ଦେଉଛି ପୁଅକୁ ବିଦାୟ । ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଆଇଗେଣିଆ ରାଜୀବ ନଗରର ସମୀର ପାତ୍ରଙ୍କ ଘରେ । ସମୀରଙ୍କ ୫ ବର୍ଷର ପୁଅ ସାଇରାମର ସରିଛି ପୋଷ୍ଟମର୍ଟମ । ବୁଧବାର ଦିନ ପିଶାଚ ପଡୋଶୀ ମହିଳା ନେଇଛି ତାର ଜୀବନ । କୋଲକାତାର ତନୁଶ୍ରୀ ପରିମାଣିକ ସାଇକୁ ତଣ୍ଟିଚିପି ହତ୍ୟା କରିବା ପରେ ନିଜକୁ ପୋଲିସଠୁ ବଞ୍ଚାଇବାକୁ କରିଥିଲା ଆତ୍ମହତ୍ୟାର ନାଟକ । ଉଦ୍ଦେଶ୍ୟମୂଳକ ଭାବେ ଗୁଣି ଗାରେଡି ପାଇଁ ପିଶାଚ ପଡୋଶୀ ରଚିଥିଲା ଏପରି ଏକ ହତ୍ୟାର ଷଡଯନ୍ତ୍ର ।
ସେପଟେ ପୋଷ୍ଟମର୍ଟମ ପରେ ହତ୍ୟା କରିଥିବା ମହିଳାଙ୍କ ଘରେ ଛାନଭିନ କରିଛି ପୋଲିସ । ହତ୍ୟାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ପାରିପାର୍ଶ୍ବିକ ପ୍ରମାଣ ଯୋଗାଡ କରିଛି । ହେଲେ ହତ୍ୟା କରିଥିବା ମହିଳା ମେଡିକାଲରେ ଭର୍ତ୍ତି ହୋଇଥିବାରୁ ଥିବାରୁ ତଦନ୍ତରେ ଉପୁଜିଛି ବାଧା । ମହିଳାଙ୍କ ବୟାନ ରେକର୍ଡ କରିବା ପରେ ପ୍ରଘଟ ହେବ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ।
ତେବେ କଣ ହୋଇଥାଇପାରେ ସାଇର ମୃତ୍ୟୁ ପଛର ପ୍ରକୃତ ରହସ୍ୟ । ଗୁଣି ଗାରେଡି ନା ମାନସିକ ବିକୃତ ଯୋଗୁଁ ମହିଳା ଭିଆଇଥିଲେ ଏପରି ଏକ ଜଙ୍ଘନ୍ୟକାଣ୍ଡ, ଯାହାର ପର୍ଦ୍ଦାଫାସ କରିବାକୁ ପୋଲିସ ଜାରି ରଖିଛି ତଦନ୍ତ ।
ପ୍ରକାଶ ଥାଉ କି, ଗତ ବୁଧବାର ଦିନ ୫ ବର୍ଷର ସାଇରାମକୁ ହତ୍ୟା କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅଭିଯୁକ୍ତ ମହିଳା ତନୁଶ୍ରୀ ପରିମାଣିକ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ