ନୟାଗଡ଼: ଅଡ଼ୁଆରେ ବିଜେଡି଼ ସାଂସଦ ଭର୍ତ୍ତୃହରି ମହତାବ । ତାଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ବୋହୂ । ମଧ୍ୟପ୍ରଦେଶର ଭୋପାଳ ପୋଲିସ ଷ୍ଟେସନ ମହତାବ ପରିବାର ବିରୋଧରେ ଏତଲା ଦାଏର ହୋଇଥିବା ସୂଚନା ମିଳିଛି ।
ଭର୍ତ୍ତୃହରି ମହତାବଙ୍କ ବୋହୂ ମଧ୍ୟପ୍ରଦେଶ ଭୋପାଳ ମହାଦେବ ପରିସର ଅଞ୍ଚଳରେ ରୁହନ୍ତି । ସେ ଗତ ୨୦୧୬ ମସିହା ଡିସେମ୍ବର ମାସରେ ମହତାବଙ୍କ ପୁଅକୁ ବିବାହ କରିଥିଲେ । ତାଙ୍କ ବୋହୂ ଭୋପାଳର ଏକ ପୋଲିସ ଷ୍ଟେସନର ମହିଳା ଥାନାରେ ଏହି ଅଭିଯୋଗ କରିଛନ୍ତି । ତେବେ ତାଙ୍କ ପରିବାରର ବିବାହରେ ଅନେକ ଅର୍ଥ ଖର୍ଚ୍ଚ କରିବା ପରେ ମଧ୍ୟ ସେମାନେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି ।
ଇଣ୍ଡିଆନ ପେନାଲ କୋଡ ଧାରା ୪୯୮(a) ଆଧାରରେ ମାମଲା ରୁଜୁ କରିଛି ପୋଲିସ । ତେବେ ସାଂସଦ ଭର୍ତ୍ତୃହରିଙ୍କ ବୋହୂଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ବିବାହ ସମୟରେ ବାପା ୧.୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି, କିନ୍ତୁ ତଥାପି ଏଥିରେ ଶ୍ୱଶୁର ଘର ଲୋକ ସନ୍ତୁଷ୍ଟ ନୁହଁନ୍ତି ବୋଲି ବୋହୂ ଅଭିଯୋଗ ଆଣିଥିବା ସୂଚନା ମିଳିଛି l ଅନେକ ଥର ପରିବାର ଏବଂ ସମ୍ପର୍କୀୟଙ୍କ ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ କୌଣସି ସମସ୍ୟାର ସମାଧାନ ହୋଇନପାରିବାକୁ ମାମଲା କୋର୍ଟରେ ମଧ୍ୟ ପହଞ୍ଚିଛିଥିବା ସୂଚନା ମିଳିଛି
ସେପଟେ ଏହି ଅଭିଯୋଗ ବିରୋଧରେ ମୁହଁ ଖୋଲିଲେ ସାଂସଦ l କହିଲେ 'ମୁଁ କିଛି ଜାଣିନି' । ଭର୍ତ୍ତୃହରିଙ୍କ ନାଁରେ ଅଭିଯୋଗ ହୋଇଥିବା ନେଇ ବହୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ