ଭୁବନେଶ୍ବର: ରାଜଧାନୀରେ ଏବେ ଠକଙ୍କ ଟାର୍ଗେଟରେ ଭଡାଟିଆ । ଟୁଲେଟ (TO LET) ଲେଖି ଘର ଦେଖାଇବା ଆଳରେ ଠକୁଛନ୍ତି ଟଙ୍କା । ତେବେ ଏ ନେଇ ନନ୍ଦନକାନନ ଥାନାରେ ଜଣେ ଇଞ୍ଜିନିୟରିଂ ଛାତ୍ରୀ ଅଭିଯୋଗ କରିଛନ୍ତି । ଟଙ୍କା ମାଗିବାରୁ ଠକ ଧମକପୂର୍ଣ୍ଣ କଲ୍ କରୁଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରୀ ଜଣକ ।
ସିଙ୍ଗଲ ରୁମ, ଫ୍ୟାମିଲ ହାଉସ, ହଷ୍ଟେଲ ଦେଖାଇବା ଆଳରେ ଠକେଇ (Rental Fraud) କରୁଛନ୍ତି ଏହି ଠକ । ରାଜଧାନୀକୁ ଆସୁଥିବା କଲେଜ ଛାତ୍ର, ରାଜ୍ୟ ବାହାରର ଲୋକଙ୍କୁ ଏମାନେ ଟାର୍ଗେଟ କରୁଛନ୍ତି । କଲେଜ ବାହାରେ, ଅଫିସ ବାହାରେ ଓ ରାସ୍ତାଘାଟରେ ଟୁ-ଲେଟ ଲେଖି ଠକ ଦେଉଛନ୍ତି ନିଜ ନମ୍ବରର ଆଡ୍ (Advertisement) । ଆଉ ନମ୍ବର ନେଇ ଘର ଭଡା ପାଇ ଲୋକେ ଫୋନ କରିବା ପରେ ସେମାନେ ଘର ଭଡା ନେଇ ପ୍ରଥମେ ଆଡଭାନ୍ସ ନେଉଛନ୍ତି ।
ଏହାପରେ କନସଲଟାନ୍ସିରେ ରେଜିଷ୍ଟ୍ରେସନ ଓ ପରେ ଘର ଦେଖାଇବାକୁ ଦିନକୁ ୫୦୦ ଟଙ୍କା ନେଉଛନ୍ତି । ପସନ୍ଦ ହେଲେ ଘର ଭଡ଼ାର ଅଧା ଦାମର ଡିମାଣ୍ଡ କରୁଛନ୍ତି । ଆଡଭାନ୍ସ ନେବାପରେ ଘର ଦେଖାଇବାର ବାହାନା ଦେଖାଇ ଆଉ ଫୋନ ଉଠାଉନାହାନ୍ତି ଠକ । ଏହି ଠକ ଗ୍ୟାଙ୍ଗର ଖୁଲାସା କରିଛନ୍ତି ଫ୍ୟାଶନ ଇଞ୍ଜିନିୟରିଂ ଛାତ୍ରୀ । ଏହି ଠକଙ୍କ ବିରୋଧରେ ଛାତ୍ରୀ ଜଣକ ନନ୍ଦନକାନନ ଥାନାରେ ଅଭିଯୋଗ କରିଛିନ୍ତି ।
ଏହା ବି ପଢନ୍ତୁ- ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଜୋମାଟୋ ଡେଲିଭରି ବୟ ଗିରଫ
ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଘର ଭଡା ପାଇଁ ସେ ବିକ୍ରମ ଘଡେଇ ନାମକ ଜଣେ ଦଲାଲକୁ ଫୋନ କରିଥିଲେ । ଏହାପରେ ସନ୍ତୋଷ ପଟ୍ଟନାୟକ ନାମକ ସହଯୋଗୀ ଜରିଆରେ ଆଡଭାନ୍ସ ବାବଦକୁ ନେଇଥିଲେ ୧୧ ହଜାର ଟଙ୍କା । ୟୁପିଆଇ (UPI Payment)ରେ ଟଙ୍କା ନେଇ ଆଉ ଧରାଛୁଆଁ ଦେଇନଥିଲେ । ଗୋଟିଏ ଦୁଇଟି ଘର ଦେଖାଇବା ପରେ ଖୁବଶୀଘ୍ର ମିଳିଯିବ ବୋଲି କହିଥିଲେ । ମାତ୍ର ଘର ପାଇଁ ଛାତ୍ରୀ ଜଣକ ଫୋନ କରିବାରୁ ତାଙ୍କୁ ଧମକ ଦେଇଥିଲେ ଠକ ।
ଏ ନେଇ ଆଜି ଦଲାଲ ଦେଖା ହେବା ପରେ ଟଙ୍କା ମାଗିବାରୁ ଠକ ଯୁବତୀଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଗତ ୧୪ ତାରିଖରୁ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଅନ୍ୟ ଥାନାର କହି ଫେରାଇ ଦେଇଥିଲା । ଏହାପରେ ସେ ଇନଫୋସିଟି ଥାନାରେ ଅଭିଯୋଗ କରିଥିବା ବେଳେ କମିଶନରେଟ ପୋଲିସ ଏଯାଏଁ ଠକକୁ ଧରିବାରେ ସକ୍ଷମ ହୋଇନାହିଁ । ଏବେ ଠକ ତାଙ୍କୁ ଧମକପୂର୍ଣ୍ଣ କଲ କରୁଥିବାରୁ ସେ ପୁଣି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର