ଭୁବନେଶ୍ବର: ରାଜ୍ୟରେ ସବୁଆଡ଼େ କୋରୋନା ପାଇଁ ସିଦ୍ଧିଦାତା ବିନାୟକଙ୍କ ପୂଜା ନିରାଡ଼ମ୍ବର ଭାବେ ପାଳିତ ହୋଇଅଛି । ଏହି ପରିପ୍ରେକ୍ଷୀରେ ଧଉଳି ଚାରୁକଳା ମହାବିଦ୍ୟାଳୟରେ ମଧ୍ୟ ବିଧି ରକ୍ଷା ପାଇଁ ନିରାଡ଼ମ୍ବର ଭାବେ ପୂଜା ପାଇଛନ୍ତି ଅଗ୍ରପୂଜ୍ୟ ବିନାୟକ ।
କିନ୍ତୁ ମହାବିଦ୍ୟାଳୟ ନିକଟରେ ରହୁଥିବା ଛାତ୍ର ପଙ୍କଜ କୁମାର ବେହେରା ନିଆରା ଢଙ୍ଗ ଓ ଖୁବ୍ କମ୍ ସମୟରେ ଗଢିଛନ୍ତି ଗଣେଶଙ୍କ ମୂର୍ତ୍ତି । ଓଡ଼ିଶାର ପାରମ୍ପରିକ ଟେରାକୋଟା ଶୈଳୀରେ ଏହି ମୂର୍ତ୍ତି ଗଠନ କରିବାକୁ ପଙ୍କଜକୁ ମାତ୍ର ଦୁଇଘଣ୍ଟା ସମୟ ଲାଗିଥିଲା ।

ଏହି ଶୈଳୀରେ ମୂର୍ତ୍ତିଗଠନ କରି ପଙ୍କଜ ଆମ ପରମ୍ପରାକୁ ରୁଦ୍ଧିମନ୍ତ କରିବା ପାଇଁ ବାର୍ତ୍ତା ଦେଇଛନ୍ତି । ଦୁଇ ଫୁଟର ଏହି ଟେରାକୋଟା ଶୈଳୀର ମୂର୍ତ୍ତିରେ ସ୍ଥାନେ ସ୍ଥାନେ ହାଲୁକା ରଙ୍ଗର ପ୍ରୟୋଗ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ସହ ୨ଜଣ ଅଧ୍ୟାପକ ସାମାଜିକ ଦୂରତା ରକ୍ଷା କରି ଗଣେଶଙ୍କୁ ଆରାଧନା କରିଥିଲେ ଏବଂ ଏହି ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କ ଅଭାବ ବୋଧ ସହ ଏପରି ବିଷମ ପରିସ୍ଥିତିରୁ ସମସ୍ତେ କିପରି ମୁକୁଳିବେ ସେଥିପାଇଁ ପ୍ରାର୍ଥନା କରିଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ