ଭୁବନେଶ୍ବର : ରବି ଋତୁରେ ଚାଷୀଙ୍କଠାରୁ ମଇ ୧ ରୁ ଜୁନ ୩୦ ମଧ୍ୟରେ ସବୁ ବଳକା ଧାନ କ୍ରୟ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ । ତଦନୁଯାୟୀ ମୋଟ୍ ୨ ଲକ୍ଷ ୩୨ ହଜାର ୬୦୧ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜିକରଣ ମଧ୍ୟ କରିଥିଲେ । ସରକାର କହିଥିଲେ ରବିର ୧୭ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବା ପରେ ଆଉ ଯେତେ ବଳକା ଧାନ ରହିବ, ସବୁ ଧାନ ଚାଷୀଙ୍କଠାରୁ କିଣିବେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ବର୍ତ୍ତମାନ ରବି ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲାପ୍ସ ଆକଳନ ଅନୁଯାୟୀ ଧାନ କିଣିବା ପାଇଁ ମଣ୍ଡିକୁ ଟାର୍ଗେଟ ନ ଦେବା ଯୋଗୁଁ ମଣ୍ଡିରେ ଧାନ ତିନ୍ତୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଦଳ ଅଭିଯୋଗ କରିଛି ଧାନ କିଣାବିକାରେ ବର୍ତ୍ତମାନ ମିଲର୍ସମାନେ ସର୍ବେସର୍ବା। କେବେ ସ୍ଵଳ୍ପ ଅବଧି ପୁରିବ, ମିଲର ଚାଷୀଙ୍କଠାରୁ ଶାଗମାଛ ମୂଲ୍ୟରେ କିପରି ଧାନ କିଣିବ ସେଥିପାଇଁ ସୁଯୋଗ ଉଣ୍ଡୁଛନ୍ତି । ବହୁ ମଣ୍ଡିରେ ହଜାର ହଜାର ବସ୍ତା ଧାନ ଗଜା ହେଲାଣି । ଚାଷୀ ଗୁରୁତର ସଙ୍କଟରେ । ଏହା ମଧ୍ୟରେ ‘କାଳ ବୈଶାଖୀ’ ‘ୟସ୍’ ବାତ୍ୟା ଓ ଚଳିତ ଲଗାଣ ବର୍ଷା ଦ୍ଵାରା ରବି ଅମଳ ଧାନ ବ୍ୟାପକ ଭାବରେ ନଷ୍ଟ ହେଲାଣି । ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢଙ୍ଗରେ ଧାନ କିଣାଯାଉ ନାହିଁ । ଠିକଣା ସମୟରେ ବହୁ ଚାଷୀଙ୍କ ପାଖରେ ଟୋକନ୍ ପହଞ୍ଚୁନାହିଁ । ଯେଉଁ ଚାଷୀ ଟୋକନ ପାଉଛନ୍ତି ସୀମିତ ଅବଧି ସମୟରେ ଯଦି ଧାନବିକ୍ରି କରି ପାରୁ ନାହାନ୍ତି, ତେବେ ସେହି ଚାଷୀଙ୍କଠାରୁ ଆଉ ଧାନ କିଣାଯାଉ ନାହିଁ । ପୂର୍ବରୁ ଧାନ କିଣାରେ ଟୋକନର ଅବଧି ୧ ମାସ ବୈଧ ଥିଲା । କେନ୍ଦ୍ରୀୟ ନୀତିରେ ଧାନ କିଣା ସମୟ ୧୫୧ ଦିନ, କିନ୍ତୁ ରାଜ୍ୟ ସରକାର ଓ ମିଲରମାନଙ୍କ ମଧୁ ଚନ୍ଦ୍ରିକାରେ ରବିଧାନ କିଣାରେ ୧୨ ରୁ ୧୫ ଦିନ ରଖାଯିବା ଦ୍ଵାରା ଚାଷୀ ଏଥିରେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି । ଗତ ଖରିଫରେ ୧୪ ଲକ୍ଷରୁ ଊର୍ଦ୍ଧ୍ଵ ଚାଷୀ ଧାନ ବିକିବା ପାଇଁ ସେମାନଙ୍କ ନାମ ପଞ୍ଜିକରଣ କରିଥିବାବେଳେ ସରକାର ସେଥିମଧ୍ୟରୁ ପ୍ରାୟ ୨ ଲକ୍ଷରୁ ଅଧିକ ଚାଷୀଙ୍କଠାରୁ ଧାନ ଆଦୌ କ୍ରୟ କରି ନାହାନ୍ତି । ଏହି ଦୃଷ୍ଟିରୁ ଚାଷୀଙ୍କ ଠାରୁ ସରକାର ଜୁନ ୩୦ ମଧ୍ୟରେ ଧାନକ୍ରୟ କରିବା ସନ୍ଦେହ ସୃଷ୍ଟି ହେଉଛି ।
ଅଖାବସ୍ତା, ଲୋଡିଂ, ଅନଲୋଡିଂ, ପରିବହନ ଖର୍ଚ୍ଚ ଚାଷୀ ପାଉ ନଥିବାବେଳେ ମିଲର୍ସମାନେ ଏହାକୁ ହରିଲୁଟ୍ କରୁଛନ୍ତି ଏବଂ ବିଭିନ୍ନ ଆଳ ଦେଖାଇ ପ୍ରତି ବସ୍ତା ପିଛା ୪ ରୁ ୫ କେଜି ଧାନ କଟନୀ ଛଟନୀ କରାଯାଉଛି । ଭୁବନେଶ୍ବରରୁ ଧାନ କିଣା ପାଇଁ ଯେଉଁ କେନ୍ଦ୍ରୀୟ ନୀତି ପ୍ରଣୟନ କରାଯାଇଛି, ତଦ୍ବାରା ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ପାରୁନାହିଁ । ଅନେକ ସମୟରେ ବେପାରୀଙ୍କଠାରୁ ଧାନ କିଣାଯାଇ ସରକାର ତାଙ୍କର ଲକ୍ଷ୍ୟଧାର୍ଯ୍ୟ ପୂରଣ କରୁଥିବା ଜଣାପଡ଼ୁଛି । କାଗଜ କଲମରେ କେବଳ ଧାନିକଣା ବିକା ଚାଲିଛି । ବିଭାଗୀୟ ମନ୍ତ୍ରୀ ରବି ଧାନ କିଣାରେ ଯେଉଁ ସଫେଇ ଦେଉଛନ୍ତି ଏହା ଚାଷୀଙ୍କ ସ୍ବାର୍ଥରେ ନୁହେଁ, ମିଲର ଓ ସରକାରଙ୍କ ସ୍ବାର୍ଥରେ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି ।
ସେ ପୁନଶ୍ଚ କହିଛନ୍ତି ଯେ, କେନ୍ଦ୍ର ସରକାର ଆସନ୍ତା ଖରିଫ ଫସଲ ଅମଳରେ ଧାନର ସର୍ବନିମ୍ନ ସହାକୟ ମୂଲ୍ୟ (MSP) ଉପରେ ଯେଉଁ ୭୨ ଟଙ୍କା ବୃଦ୍ଧି କରିଛନ୍ତି । ଏହା ଚାଷୀଙ୍କ ପାଇଁ ଉପହାସ । କାରଣ ୨୦୧୮ ହିସାବ ଅନୁଯାୟୀ ଓଡ଼ିଶାରେ ଧାନର ପ୍ରତି କ୍ରିଷ୍ଟାଲରେ ଉତ୍ପାଦନ ଖର୍ଚ୍ଚ ୨୩୪୪ ଟଙ୍କା ଥିଲା। ସ୍ଵାମୀନାଥନ କମିଟି ସୁପାରିଶ ଆଧାରରେ ଦେଢ଼ଗୁଣା ବୃଦ୍ଧି କରାଯିବା କଥା । ତେଣୁ ବିଧାନସଭାରେ ଧାନ ବିଣ୍ଟାଲ ପିଛା ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରାଯିବା ପାଇଁ ପ୍ରସ୍ତାବ କରାଯାଇଥିଲା । କିନ୍ତୁ ଏହାକୁ କାର୍ଯ୍ୟକାରୀ ନ କରି କେନ୍ଦ୍ର ସରକାର ଏକ କ୍ବିଣ୍ଟାଲ ଧାନ ଉତ୍ପାଦନ ଖର୍ଚ୍ଚ ୧୨୯୩ ଟଙ୍କା । ଏହାର ଦେଢ଼ଗୁଣାରେ ୬୪୭ ଟଙ୍କା ଦିଆଯାଇ ଆସନ୍ତା ଖରିଫ୍ଠାରୁ ଧାନ କ୍ବିଣ୍ଟାଲ ପିଛା ମୋଟ ୧୯୪୦ ଟଙ୍କା ବୃଦ୍ଧି କରିଛନ୍ତି । ଏହା ଦ୍ଵାରା ଚାଷୀ ପ୍ରତି କ୍ବିଣ୍ଟାଲରେ ପାଖାପାଖି ୯୯୦ ଟଙ୍କା କ୍ଷତି ସହୁଛନ୍ତି ବୋଲି କହିଛି ଦଳ ।
ତେଣୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି ଓ ଏମ.ଏସ.ପି କୁ ଆଇନଗତ ମାନ୍ୟତା, ରାଜ୍ୟ ସରକାର ପ୍ରତି ଧାନ କ୍ବିଣ୍ଟାଲରେ ୫୦୦ ଟଙ୍କା ଚାଷୀଙ୍କୁ ବୋନସ ଦେବା ଅତ୍ୟନ୍ତ ଜରୁରୀ ବୋଲି ଅମୀୟ କୁମାର ପଟ୍ଟନାୟକ କହିଛନ୍ତି । ଯଦି ଚଳିତ ମାସ ଜୁନ ୩୦ ତାରିଖ ମଧ୍ୟରେ ଚାଷୀଙ୍କଠାରୁ ସବୁ ବଳକା ଧାନ କିଣା ନ ଯାଏ ତେବେ ଆସନ୍ତା ଜୁଲାଇ ୧ ତାରିଖଠାରୁ ରାଜ୍ୟର ସମସ୍ତ ଜିଲ୍ଲା ଖାଦ୍ୟ ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ କିଷାନ କଂଗ୍ରେସ ତରଫରୁ ଧାରଣା ଓ ପ୍ରତିବାଦ କରାଯିବ ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।
କଂଗ୍ରେସ କରିଥିବା ଦାବି ଗୁଡିକ ସଂକ୍ଷେପରେ ...
୧. ଟୋକନ ଇସ୍ୟୁର ଅବଧି ୧୫ ଦିନ ପରିବର୍ତ୍ତେ ପୂର୍ବ ପରି ଏକମାସ ପର୍ଯ୍ୟନ୍ତ ବଳବତ୍ତର ରହୁ । ଏହାକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ।
୨. ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ସ୍ଵଳ୍ପ ସମୟ ମଧ୍ୟରେ ଅବଧି ପୁରି ଯିବାରୁ ଯେଉଁ ଟୋକନ ଗୁଡ଼ିକର ଲ୍ୟାପ୍ସ ହୋଇଛି ଏବଂ ଯେଉଁ ଚାଷୀମାନେ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କଠାରୁ ସମସ୍ତ ଧାନ ଯୁଦ୍ଧକାଳୀନ ଭିତ୍ତିରେ କିଣାଯାଉ ।
୩. ରବି ଋତୁରେ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିବା ସମସ୍ତ ଚାଷୀଙ୍କଠାରୁ ଯୁଦ୍ଧକାଳୀନ ଭିତ୍ତିରେ ସବୁ ଧାନ କିଣାଯାଉ ।
୪. ନିର୍ଦ୍ଧାରିତ ସମୟ ମଧ୍ୟରେ ଆକଳନ ମୁତାବକ ଧାନ କ୍ରୟ ପାଇଁ ମଣ୍ଡିକୁ ଟାର୍ଗେଟ ଦିଆଯାଉ ।
୫. ଧାନ ସଂଗ୍ରହ ବେଳେ ଅଖା ଓ ପରିବହନ ପ୍ରଭୃତି ଖର୍ଚ୍ଚ ଚାଷୀଙ୍କୁ ସିଧା ସଳଖ ପ୍ରଦାନ କରାଯାଉ ।
୬. ମିଲରଙ୍କ ମନମାନୀକୁ ବନ୍ଦ କରିବା ସହ ବିଭିନ୍ନ ଆଳ ଦେଖାଇ ବସ୍ତାପିଛା କଟାଯାଉଥିବା ୪ ରୁ ୫ କେଜି ଧାନ କଟନୀ ଛଟନୀର ବନ୍ଦ କରାଯାଉ ।
୭. ବିଭିନ୍ନ ସମବାୟ ସମିତିର ସମ୍ପାଦକଙ୍କ ମନମୁଖୀ ଓ ପ୍ରମାଣପତ୍ର ଯାଞ୍ଚ କରିବା ଅବହେଳାରୁ ପଞ୍ଜିକୃତ ହୋଇ ପାରି ନଥିବା ଚାଷୀଙ୍କଠାରୁ ଧାନ କ୍ରୟ କରାଯାଉ ।
୮. ସରକାରଙ୍କ ଅବହେଳାରୁ ଚାଷୀଙ୍କ ବଳକା ଧାନ କିଣା ଯାଇ ନ ଥିବାରୁ ଆଦ୍ରତା ଓ ରଙ୍ଗହୀନ ହୋଇଥିବା ସବୁ ଧାନ କିଣାଯାଉ ।
୯. ଗତ କାଳବୈଶାଖୀ, ୟାଶ, ଚଳିତ ଲଗାଣ ବର୍ଷାଦ୍ବାରା ଅମଳ ହୋଇ ନ ପାରିଥିବା ଧାନ ଚାଷ ପାଇଁ ପ୍ରତି ଚାଷୀଙ୍କୁ ଏକର ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ ସହାୟତା ଦିଆଯାଉ ।
୧୦. ରାଜ୍ୟ ସରକାର ଏମ୍.ଏସ.ପି ଉପରେ ଚାଷୀଙ୍କୁ ପ୍ରତି କ୍ବିଣ୍ଟାଲ ପିଛା ୫୦୦ ଟଙ୍କା ବୋନସ ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ