ଭୁବନେଶ୍ବର: ଅଡୁଆରେ ନକଲି ଡାକ୍ତର ରମେଶ ସ୍ବାଇଁ । ଦ୍ବିତୀୟ ଥର ପାଇଁ ୫ ଦିନିଆ ରିମାଣ୍ଡରେ ଯାଇଛନ୍ତି ରମେଶର ପତ୍ନୀ ଅଳକା ତିର୍କୀ । ପୁଣି ଫିଟିବ ଠକ ଡାକ୍ତରର ଠକାମୀର ପେଡି, ସାମ୍ନାକୁ ଆସିପାରେ ଆହୁରି କଳା କାହାଣୀ । ଅଧିକ ତଥ୍ୟ ହାସଲ ନେଇ ୫ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ । ଝାରପଡା ଜେଲରୁ ମହିଳା ଥାନା ପୋଲିସ ପହଞ୍ଚି ଅଳକାଙ୍କୁ ରିମାଣ୍ଡରେ ନେଇଛି । ରିମାଣ୍ଡ ସମୟରେ ଡାକ୍ତରର ଠକେଇ ଟଙ୍କାର ସୁରାକ ଖୋଜିବ ପୋଲିସ ।
ଠକେଇ କରି ଠକେଇ ଟଙ୍କାକୁ ପତ୍ନୀ ଅଳକାଙ୍କ ନାଁରେ ଠୁଳ କରୁଥିଲା ରମେଶ । ଯାହା ପତ୍ନୀଙ୍କୁ ମଧ୍ୟ ଜଣାଥିଲା । ଏପରି ଠକେଇ ଟଙ୍କାରେ କିଣା ହୋଇଥିବା ଏକ କାରକୁ ମଧ୍ୟ ବ୍ୟବହାର କରୁଥିଲେ ପତ୍ନୀ ଅଳକା, ଯାହାକୁ ମଧ୍ୟ ସିଜ କରିଛି ପୋଲିସ । ତେବେ ଠକ ଡାକ୍ତରର ଆର୍ଥିକ କାରବାରର ଲିଙ୍କ ଖୋଳତାଡ ପାଇଁ ରିମାଣ୍ଡରେ ନେଇଛି ପୋଲିସ ।
ଅନ୍ୟପଟେ ଠକ ଡାକ୍ତରର ଠକାମୀ ନେଇ ବିରୋଧ କରିଛନ୍ତି କିଛି ମହିଳା ସଂଗଠନ । ଏନେଇ ଡାକ୍ତରକୁ କଠୋରରୁ କଠୋର ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି । ଜଣେ ଲେଖିକା କହିଛନ୍ତି ଠକ ଡାକ୍ତରର ଠକାମିର କାହାଣୀ ଲେଖିବେ । ରମେଶ କିଭଳି ନିରିହ ମହିଳାଙ୍କ ଭାବାବେଗ ସହ ଖେଳି ଧୋକା ଦେଉଥିଲେ ଏବଂ ଏକାଧିକ ମହିଳାଙ୍କୁ ବିବାହ କରି ଠକାମୀ କରିଛି, ସେନେଇ ସମାଜର ପରିବର୍ତ୍ତନ ପାଇଁ ଠକ ଡାକ୍ତରର କାହାଣୀ ଲେଖିବା ପାଇ ସେ ପ୍ରସ୍ତୁତ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ