ଭୁବନେଶ୍ବର: ନ୍ୟାୟିକ ସେବା ଶିକ୍ଷାନିବେଶମାନଙ୍କର ପ୍ରଶାସନିକ ବ୍ୟବସ୍ଥା ସହ ସିଧାସଳଖ ପରିଚୟ ପାଇଁ ରାଜ୍ୟ ଲୋକସେବା ଭବନକୁ ଦିନିକିଆ ପରିଦର୍ଶନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଚକ୍ରକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍ତି ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ଗଣତାନ୍ତ୍ରିକ ବ୍ୟବସ୍ଥାରେ ନାଗରିକ ହିଁ ପ୍ରଶାସନର କେନ୍ଦ୍ରବିନ୍ଦୁ ଏବଂ ସର୍ବଶ୍ରେଷ୍ଠ । ଗଣତନ୍ତ୍ରର ୪ଟି ସ୍ତମ୍ଭ ଲୋକମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ କାର୍ଯ୍ୟ କରନ୍ତି । ଲୋକମାନଙ୍କ ଦ୍ବାରା ନିର୍ବାଚିତ ଜନପ୍ରତିନିଧି ଏବଂ ବିଧାୟକମାନେ ଲୋକମାନଙ୍କ ଆଶା ଆକାଂକ୍ଷା ବିଷୟ ନିର୍ଦ୍ଧାରଣ କରିବାରେ ସଠିକ୍ ଭୂମିକା ନିଭାଇଥାନ୍ତି ।
କାରଣ ଲୋକମାନଙ୍କ ସହ ସେମାନଙ୍କର ସିଧାସଳଖ ଯୋଗାଯୋଗ ଥାଏ । ତେଣୁ ବ୍ୟବସ୍ଥାପକ ସଭା ଦ୍ବାରା ପ୍ରଣୀତ ଆଇନ୍ ଲୋକମାନଙ୍କର ଆଶା ଆକାଂକ୍ଷାକୁ ପ୍ରତିଫଳନ କରେ । ସେସବୁର ପୂରଣ ନିମନ୍ତେ କାର୍ଯ୍ୟନିର୍ବାହୀ ବ୍ୟବସ୍ଥା ଜନସାଧାରଣଙ୍କ ସେବକଭାବେ କାର୍ଯ୍ୟ କରେ । ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ସର୍ବୋଚ୍ଚ ଅଧିକାରୀଙ୍କଠାରୁ ଆରମ୍ଭକରି ଗ୍ରାମସ୍ତରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଜନସାଧାରଣଙ୍କ ସେବକ । ନିର୍ଦ୍ଧାରିତ ନିୟମ ଅନୁଯାୟୀ ସମଭାବରେ ସମସ୍ତଙ୍କୁ ସଠିକ୍ ସେବା ଯୋଗାଇବା ସମସ୍ତଙ୍କର ମୁଖ୍ୟ କାମ ।
ଏହି ମୂଲ୍ୟବୋଧ ଭିତ୍ତିରେ ରାଜ୍ୟରେ 'ମୋ ସରକାର' ଏବଂ ୫ଟି ବ୍ୟବସ୍ଥା ଆରମ୍ଭ କରାଯାଇଛି । 'ମୋ ସରକାର'ର ମୂଳତତ୍ତ୍ଵ ହେଉଛି ପ୍ରତିଟି ନାଗରିକଙ୍କୁ ଅନୁଭବ କରାଇବା ଯେ ଚାଲୁଥିବା ବ୍ୟବସ୍ଥା ହେଉଛି ମୋର ସରକାର । ଏହି ବ୍ୟବସ୍ଥା ମୋ ପାଇଁ କାମ କରୁଛି । ନାଗରିକଙ୍କ ମନରେ ଏହି ବିଶ୍ବାସ ଓ ଭରସା ସୃଷ୍ଟି ହେଲେ କାର୍ଯ୍ୟନିର୍ବାହୀମାନଙ୍କ ପାଇଁ କର୍ତ୍ତବ୍ୟ ସଂପାଦନ ସହଜ ହେବ । ତେଣୁ ସଠିକ୍ ଏବଂ ସମୟୋପଯୋଗୀ ସେବା ଯୋଗାଣ ମାଧ୍ୟମରେ ନାଗରିକମାନଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ କାର୍ଯ୍ୟନିର୍ବାହୀ ସର୍ବଦା ଚେଷ୍ଟାରତ ରହିଛି ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର କହିଛନ୍ତି ଯେ, ଯେ ପ୍ରଶାସନିକ ବ୍ୟବସ୍ଥାର ସଂରଚନା ଏବଂ କାର୍ଯ୍ୟପଦ୍ଧତି ବିଷୟରେ ବାସ୍ତବ ଜ୍ଞାନ ଆଇନ୍ ସେବା ପ୍ରଦାନରେ ସହାୟକ ହେବ । ତେଣୁ ଏହି ଆଲୋଚନାରେ ବିଭିନ୍ନ ବିଭାଗର କାର୍ଯ୍ୟ ପ୍ରଣାଳୀ ଯୋଜନା ଏବଂ ନୀତିନିୟମକୁ ସାମିଲ କରାଯାଇଛି ।
ଆଇନ୍ ବିଭାଗ ଭାରପ୍ରାପ୍ତ ଶାସନ ସଚିବ ପ୍ରତାପ କୁମାର ପାତ୍ର କହିଛନ୍ତି ଯେ, ଆଇନ୍ ସେବା ଶିକ୍ଷାନବିଶମାନେ ନିଜ ମନରେ କୌଣସି ବ୍ୟକ୍ତି ବା ବ୍ୟବସ୍ଥା ପ୍ରତି ଥିବା ପୂର୍ବ ଅବଧାରଣକୁ ମନରୁ ପୋଛିଦେଇ ବ୍ୟବସ୍ଥାର ବାସ୍ତବ କାର୍ଯ୍ୟକରିବା ଶୈଳୀକୁ ବୁଝନ୍ତୁ । ପ୍ରଶାସନିକ ବ୍ୟବସ୍ଥାର ମୂଳ ଲକ୍ଷ୍ୟ ହେଉଛି ସଠିକ୍ଭାବେ ନିର୍ଦ୍ଧାରିତ ସେବାଯୋଗାଣ ଏବଂ ବ୍ୟବସ୍ଥାରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଏହି ଲକ୍ଷ୍ୟ ପାଇଁ ସମର୍ପିତ । ଏହି ଆଲୋଚନା ଚକ୍ରରେ ସମୁଦାୟ ୭ଟି ବୈଠକ ଅନୁଷ୍ଠିତ ହୋଇଛି ।
ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର, ମୁଖ୍ୟ ଶାସନ ସଚିବଙ୍କ ସ୍ବତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଦିଲୀପ କୁମାର ରାଉତରାଏ, କ୍ରାଇମ୍ବ୍ରାଞ୍ଚ୍ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ପ୍ରମୁଖ ଶିକ୍ଷାନବିଶମାନଙ୍କୁ କାର୍ଯ୍ୟନିର୍ବାହୀ ବ୍ୟବସ୍ଥାର ବିଭିନ୍ନ ଅଙ୍ଗ ବିଷୟରେ ସବିଶେଷ ଅବଧାରଣା ଦେଇଛନ୍ତି ।
ଏଥିରେ ମୁଖ୍ୟତଃ ସରକାରୀ କର୍ମଚାରୀଙ୍କ ପାଇଁ ବ୍ୟବହାର ବିଧି, ସରକାରୀ କାର୍ଯ୍ୟ ସଂପାଦନ ନିୟମ, ସେବା ସର୍ତ୍ତାବଳୀ, ପ୍ରମୁଖ ସମାଜ ମଙ୍ଗଳକାରୀ ଓ ଉନ୍ନୟନମୂଳକ ଯୋଜନା, ପଞ୍ଚାୟତରାଜ ବ୍ୟବସ୍ଥାର କାର୍ଯ୍ୟବିଧି, ଲୋକସେବା ଭବନର କାର୍ଯ୍ୟପଦ୍ଧତି, ବିଭିନ୍ନ ମକଦ୍ଦମାରେ ପୋଲିସ୍ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ଵ, ଅପରାଧ ଅନୁସନ୍ଧାନ ପଦ୍ଧତି, ସମନ୍ବିତ ମକଦ୍ଦମା ପରିଚାଳନା ବ୍ୟବସ୍ଥା, ସୂଚନା ଓ ପ୍ରଯୁକ୍ତି ବ୍ୟବସ୍ଥାର ପ୍ରୟୋଗରେ ସଠିକ୍ ସେବାଯୋଗାଣ ପଦ୍ଧତି, ୫-ଟି ଓ ମୋ ସରକାର ବ୍ୟବସ୍ଥା, ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା, ବିଭିନ୍ନ ଯୋଜନା ଓ ପ୍ରକଳ୍ପ ନିମନ୍ତେ ଅର୍ଥ ଆବଣ୍ଟନ ପଦ୍ଧତି ଏବଂ ଆବଣ୍ଟିତ ଅର୍ଥର ଉପଯୁକ୍ତ ବିନିଯୋଗ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା ହୋଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ