ଭୁବନେଶ୍ବର: ଅବକାରୀ କମିଶନରଙ୍କୁ ଅବକାରୀ ବିଭାଗର ଜଣେ ଇନ୍ସପେକ୍ଟରଙ୍କ ଚାଞ୍ଚଲ୍ୟକର ଚିଠି । ନିଶା ବେପାରୀଙ୍କ ଠାରୁ ମାସିକିଆ ବଟି ନେଇ ପୋଲିସ ସୁରକ୍ଷା ଦେଉଥିବା ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ଏହି ଘଟଣାକୁ ନେଇ ମନ୍ତ୍ରୀ ଅଶ୍ୱିନୀ କହିଛନ୍ତି ଅନୁଧ୍ୟାନ କରି ପଦକ୍ଷେପ ନେବି । ସୂଚନାନୁସାରେ ପୁରୀରେ ଅବସ୍ଥାପିତ ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କ ଖୋଲା ଚିଠି, ଉଭୟ ପୁଲିସ ଓ ଅବକାରୀ ବିଭାଗକୁ ହୁଲୁସ୍ତୁଲ କରିଦେଇଛି । ସଞ୍ଜୟଙ୍କର ଚାଞ୍ଚଲ୍ୟକର ଚିଠି ନିଶା ମାଫିଆ-ପୋଲିସ କର୍ମଚାରୀଙ୍କ ଭିତିରି ସମ୍ପର୍କ ପଦାରେ ପକେଇ ଦେଇଛି ।
ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ମନମାନିର ପୋଲ୍ ଖୋଲି ଦେଇଛନ୍ତି ସଞ୍ଜୟ । ଯାହା ଅବକାରୀ କମିଶନରଙ୍କୁ ସେ ଲେଖିଥିବା ଚିଠି ହଟଚମଟ ସୃଷ୍ଟି କରିଛି । ଅବକାରୀ ବିଭାଗ ଇନ୍ସପେକ୍ଟରଙ୍କ ଚାଞ୍ଚଲ୍ୟକର ଚିଠି ବାବଦରେ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ଅଶ୍ୱିନୀ କହିଛନ୍ତି ଯେ, ଅଧିକାରୀ ଜଣଙ୍କ କ'ଣ ଚିଠି ଲେଖିଛନ୍ତି, ତାହା ଆଦୌ ଦେଖିନାହିଁ । ପଢ଼ି ନାହିଁ କିମ୍ବା ଅନୁଧ୍ୟାନ ମଧ୍ୟ କରିନାହିଁ । ଯିଏ ଲେଖିଛି, ଯାହାକୁ ଲେଖିଛି ସେ ଉତ୍ତର ଦେଇପାରିବେ ।
କପି ମିଳିନାହିଁ କିମ୍ବା ଅଧିକାରୀ ମଧ୍ୟ ଫାଇଲ ଦେଇନାହାନ୍ତି । ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛନ୍ତି । ଯଦି ଏପରି କିଛି ଘଟଣା ଘଟିଥାଏ, ତେବେ ଏ ନେଇ ମୁଖ୍ୟମନ୍ତ୍ରୀ ନିଶ୍ଚୟ କୋଡିନେଟ କରିବେ । ମୋ ନିକଟକୁ ଏ ସମ୍ବନ୍ଧରେ ଚିଠି ଆସିଲେ ମୁଁ ଏହା ଉପରେ ଅନୁଧ୍ୟାନ କରି ପଦକ୍ଷେପ ନେବି ବୋଲି କହିଛନ୍ତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ।