ଭୁବନେଶ୍ବର: ବଜେଟ କାଉଣ୍ଟ ଡାଉନ ଆରମ୍ଭ ହୋଇସାରିଛି । ଆଉ କିଛି ଘଣ୍ଟା ମଧ୍ୟରେ ସଂସଦରେ ଉପସ୍ଥାପିତ ହେବ ଆର୍ଥିକ ବର୍ଷ 2022-23 ପାଇଁ ସାଧାରଣ ବଜେଟ । କୋଭିଡ ସମୟରେ, ଅର୍ଥନୀତିର ଅଭିବୃଦ୍ଧି କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଥିବା ବେଳେ ବ୍ୟାପକ ରୋଜଗାର ସୃଷ୍ଟି ବି ନିହାତି ଆବଶ୍ୟକ । ଅଧିକ ନିଯୁକ୍ତି ସୃଷ୍ଟି କରିବାର କ୍ଷମତା ରଖିଥିବା ଏମଏସଏମଇ ସେକ୍ଟରର ବୃଦ୍ଧି ପାଇଁ ଅର୍ଥମନ୍ତ୍ରୀଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । ଚଳିତ ବଜେଟକୁ ନେଇ ରାଜ୍ୟ ସରକାର ବି ବେଶ ଆଶାବାଦୀ ରହିଛନ୍ତି ।
ମଙ୍ଗଳବାର ସଂସଦରେ ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥକ ବର୍ଷ ନିମନ୍ତେ କେନ୍ଦ୍ରୀୟ ବଜେଟ । ସଂସଦରେ ଅର୍ଥମନ୍ତ୍ରୀ ଖୋଲିବେ ଭାନୁମତି ପେଡି । ତେବେ ଜିଡିପି ଅଭିବୃଦ୍ଧି ପାଇଁ କ’ଣ ପଦକ୍ଷେପ ନେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ? ବ୍ୟାପକ ନିଯୁକ୍ତି ସୃଷ୍ଟି ପାଇଁ କେଉଁ କ୍ଷେତ୍ରକୁ ଗୁରୁତ୍ବ ଦିଆଯିବ ? କେଉଁ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ହେବ ? ଧନୀ ଓ ଗରିବ ଭିତରେ ଥିବା ପାର୍ଥକ୍ୟ ଦୂର କିପରି ହେବ? ତାହା କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ରହିଛି। ଏଭଳି ସ୍ଥିତିରେ କେନ୍ଦ୍ରୀୟ ବଜେଟ ଉପରେ ରହିଛି ସମସ୍ତଙ୍କ ନଜର । ଦେଶରେ ବେକାରୀ ଦିନକୁ ଦନି ବୃଦ୍ଧି ପାଇବାରେ ଲାଗିଛି । ଚାକିରୀ ନାହିଁ କି ରୋଜଗାର ବି ନାହିଁ । ଲୋକଙ୍କ ହାତରେ ଅର୍ଥ ନଥିବାରୁ ଏହାର ସିଧାସଳଖ ପ୍ରଭାବ ମାର୍କେଟ ଉପରେ ପଡ଼ୁଛି । ଧନୀ ଅଧିକ ଧନୀ ହେଉଥିବା ବେଳେ ଗରିବ ଆହୁରି ଗରିବ ହୋଇ ଚାଲିଛି । ପୁର୍ବରୁ କେନ୍ଦ୍ରୀ ଅନୁଦାନ ୯୦ ପ୍ରତିଶତ ରହିଥିବା ବେଳେ ରାଜ୍ୟ ୧୦ ପ୍ରତିଶତ ଦେଉଥିଲେ । ବର୍ତ୍ତମାନ ଏହା ୫୦ ପ୍ରତିଶତ ହୋଇଯାଇଛି । ଅଧିକାଶଂ ସଂସ୍ଥାର ଘରୋଇକରଣ କରାଯାଉଛି । ଅଭିବୃଦ୍ଧି ପାଇଁ ଘରୋଇ କରଣ ବନ୍ଦ କରାଯିବ ଦରକାର । ୫ ଟି ରାଜ୍ୟ ନିର୍ବାଚନ ଥିବାରୁ ବଜେଟ ଲୋକାଭିମୁଖୀ ହେବ ବୋଲି ଆଶା ରଖିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ।
ସେପଟେ କେନ୍ଦ୍ରୀୟ ବଜେଟକୁ ନେଇ ବେଶ ଆଶାବାଦୀ ରାଜ୍ୟ ସରକାର । ଓଡିଶାରେ ନିରନ୍ତର ବିକାଶର ଧାର ବଜାୟ ରହିଛି । ବିଭିନ୍ନ ସେକ୍ଟରରେ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଓ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ହେବାରେ ଲାଗିଛି । ଶାସକ ବିଜେଡି ସ୍ବରରେ ସ୍ବର ମିଳାଇଛି ରାଜ୍ୟ କଂଗ୍ରେସ । ଦଳର ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ରେଳବାଇ କ୍ଷେତ୍ରରେ ଓଡିଶା ସର୍ବାଧିକ ରାଜସ୍ବ ଦେଉଥିବା ବେଳେ କେନ୍ଦ୍ର ସରକାର ସେହି ତୁଳନାରେ ଅନୁଦାନ ଦେଉନାହାନ୍ତି । ତେଣୁ ରେଳବାଇ କ୍ଷେତ୍ର ସହିତ ସ୍ବାସ୍ଥ୍ୟ ଓ ଆକାଂକ୍ଷୀ ଜିଲ୍ଲା କ୍ଷେତ୍ରରେରେ ଅଧିକ ଅନୁଦାନ ପ୍ରଦାନ କରିବାକୁ ଦାବି କରିଛନ୍ତି ସୁର ।
ଅନ୍ୟପଟେ କେନ୍ଦ୍ରୀୟ ବଜେଟକୁ ନେଇ ବିଶିଷ୍ଟ ଅର୍ଥନୀତି ବିଶାରଦ ତ୍ରିନାଥ ଲେଙ୍କା ମଧ୍ୟ ନିଜର ମନ୍ତବ୍ୟ ଓ ଆଶା ରଖିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ