ଭୁବନେଶ୍ବର: କୋକୋ ଓ ଜୋଜୋ ଆପରେ ଠକେଇ ପାଇଁ ଋଣ । ସହଜ ଉପାୟରେ ଆପ ଡାଉନଲୋଡ କରି ମିଳୁଥିଲା ଟଙ୍କା । ଲୋଭରେ ପଡୁଥିଲେ ଲୋକେ ଆଉ ଡାଉନଲୋଡ କରୁଥିଲେ ଆପ । ସହଜରେ ଅନେକ ଆପ ଜରିଆରେ ଋଣ ନେଉଥିଲେ । ହେଲେ ଋଣ ଦେବା ପରେ ଅସଲ ରୂପ ଦେଖାଉଥିଲା ଆପ୍ । ତେବେ EOW ନିକଟରେ ଅଭିଯୋଗ ହେବା ପରେ ଆକାଉଣ୍ଟକୁ ଅଚଳ କରାଯାଇ ପ୍ରାୟ ୭ କୋଟି ଟଙ୍କା ଜବତ କରାଯାଇଛି ।
ଋଣ ପରେ ମନଇଚ୍ଛା ସୁଧରେ ଗ୍ରାହକଙ୍କ ଉପରେ ଠକମାନେ କରୁଥିଲେ ଜୁଲମ । ଆଉ ଯେତିକି ଋଣ ତା'ଠାରୁ ଦୁଇ ଓ ତିନି ଗୁଣା ଟଙ୍କା ହଡ଼ପ କରୁଥିଲେ । ଗୋଟିଏ ଆପରେ ଋଣ ଦିଆଯାଉଥିବା ବେଳେ ଆଉ ଗୋଟିଏ ଆପ ଜରିଆରେ ନେଉଥିଲେ ଟଙ୍କା । ଅର୍ଥାତ୍ ଗ୍ରାହକଙ୍କୁ ଠକିବା ପାଇ ଏପରି ପନ୍ଥା ଆପଣାଇଥିଲେ ଦୁଇ କମ୍ପାନୀ କୋକୋ ଓ ଜୋଜୋ । ଗ୍ରାହକଙ୍କୁ ଋଣ ପଠାଇବା ପରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସହ ଘରୁ ଉଠାଇ ନେବାର ଧମକ ସହ ସମ୍ପର୍କୀୟଙ୍କୁ ଫୋନ କରି ବଦନାମ କରୁଥିଲେ ।
ଏନେଇ ଇଓଡବ୍ଲୁ ନିକଟରେ ଅଭିଯୋଗ ପରେ ଉକ୍ତ କମ୍ପାନୀ ଉପରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଏହି ଆପ ଚଲାଉଥିବା ମହାଗ୍ରାମ ପେମେଣ୍ଟ ପ୍ରାଇଭେଟ ଲିମିଟେଡ ସଂସ୍ଥା ଉପରେ ଚଢାଉ ହୋଇଥିଲା । କମ୍ପାନୀ ବ୍ୟବହାର କରୁଥିବା ଆକାଉଣ୍ଟକୁ ଅଚଳ କରିବା ପରେ ୬ କୋଟି ୫୭ ଲକ୍ଷ ୩୪ ହଜାର ୮୩୯ ଟଙ୍କା ଜବତ ହୋଇଛି । ବେଆଇନ ଋଣ ଆପ ଚଲାଇବା ଅଭିଯୋଗରେ NBFC ଆଧାରରେ RBI ଆକ୍ଟରେ କେସ କରିଛି ଇଓଡବ୍ଲୁ । ଏଭଳି ଆପ ଜରିଆରେ ଋଣ ନ ନେବାକୁ ଆଡଭାଇଜାରି ଜାରି କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ