ଭୁବନେଶ୍ବର : ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଚନ୍ଦକା ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମର ତାଲିମ କେନ୍ଦ୍ର ପରିଦର୍ଶନ କରିଛନ୍ତି । ତାଲିମ କେନ୍ଦ୍ରରେ ଥିବା ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥାଗୁଡ଼ିକ କିପରି ସଞ୍ଚାଳିତ ହେଉଛି ସେ ବୁଲି ଦେଖିଛନ୍ତି । ଶକ୍ତି ବିଭାଗର ନିରାପତ୍ତା, କାର୍ଯ୍ୟାଳୟ ସଞ୍ଚାଳନ ଶକ୍ତି ସମ୍ବନ୍ଧିତ ଆୟବ୍ୟୟ ପରିଚାଳନା ଭଳି ଅନେକ ବିଷୟ ସହିତ ବିଦ୍ୟୁତ ସରବରାହ ଉପରେ ଉନ୍ନତ ଧରଣର ଉଭୟ ଥିଓରି ଓ ପ୍ରାକଫିସ୍ ଉପରେ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି ।

ଏଥି ସହିତ ଶକ୍ତି ସଞ୍ଚାଳନ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ଯନ୍ତ୍ରାଂଶର କାର୍ଯ୍ୟକାରିତା, ତା’ର ରକ୍ଷଣାବେକ୍ଷଣ ସହିତ ତାକୁ କିପରି ଉପଯୋଗ କରାଯାଏ ସେ ସମ୍ପର୍କରେ ଏଠାରେ ତାଲିମ ପ୍ରଦାନ କରାଯାଇଥାଏ । ଏଠାରେ ସଂପ୍ରତି ୬୦ ଜଣ କର୍ମଚାରୀ କାର୍ଯ୍ୟାଳୟ ପରିଚାଳନା ଉପରେ ତାଲିମ ନେଉଥିବା ଜଣାପଡ଼ିଛି । ପରେ ତାଲିମ କେନ୍ଦ୍ର ଯାଇ ସେଠାରେ ମନ୍ତ୍ରୀ କର୍ମଚାରୀଙ୍କୁ ସମୟ ସହିତ ତାଳଦେଇ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଜନସେବାରେ ନିୟୋଜିତ କରିବାକୁ ପରାମର୍ଶ ଦେଇଛନ୍ତି ।

ଅନ୍ୟକୁ ପରିବର୍ତ୍ତନ କରିବା ପରିବର୍ତ୍ତେ ନିଜକୁ ପରିବର୍ତ୍ତନ କରିବାର କଳା ଶିଖିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ମନ୍ତ୍ରୀ ତାଲିମ କେନ୍ଦ୍ରର ଭୋଜନାଳୟରେ ଅନ୍ୟମାନଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଛନ୍ତି । ତାଲିମ କେନ୍ଦ୍ରର କାର୍ଯ୍ୟକ୍ରମ ବୁଲି ଦେଖିବା ପରେ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି କେନ୍ଦ୍ରକୁ ଆହୁରି ପ୍ରଭାବି ଭାବେ ସଞ୍ଚାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ତାଙ୍କର ଏହି ପରିଦର୍ଶନ ସମୟରେ ମୁଖ୍ୟ ସାଧାରଣ ପରିଚାଳକ (ଏଚ୍ଆର୍ଡି) ଓପିଟିସିଏଲ୍, ଡ. ସି.ଏସ୍. ପ୍ରଧାନ ଏବଂ ଡେପୁଟି ଜେନେରାଲ୍ ମ୍ୟାନେଜର (ଏଚ୍ଆର୍ଡି) ପିଟିସି ଡ. ମଧୁମିତା ସ୍ୱାଇଁଙ୍କ ସମେତ ସମସ୍ତ ତାଲିମଦାତା ଉପସ୍ଥିତ ଥିଲେ ।


ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ