ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ବିଶିଷ୍ଟ କବି ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ପରଲୋକ ଘଟିଥିବା ସୂଚନା । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।
ସେ ଗତ କିଛିଦିନ ଧରି ଅସୁସ୍ଥତା ହେତୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ତାଙ୍କ ବିୟୋଗରେ ରାଜ୍ୟର ସାହିତ୍ୟ, ସାମ୍ବାଦିକତା ଓ ଶିକ୍ଷା ପରିସରରେ ଶୋକର ଛାୟା ଖେଳିଯାଇଛି । ସେ ଏକାଧାରରେ କବି, ସମାଲୋଚକ, ସମ୍ପାଦକ ଏବଂ ଶିକ୍ଷାବିତ୍ ଥିଲେ । ୧୯୫୩ ମସିହାରେ ଜନ୍ମିତ ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଅବସର ପରେ ଦୈନିକ ‘ସର୍ବସାଧାରଣ’ର ସମ୍ପାଦକ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ । ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦୁଇ ଦୁଇ ଥର ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ରେଜିଷ୍ଟାର ଏବଂ ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶକ ସଂସ୍ଥାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ୨୦୧୧ରେ ଅବସର ଗ୍ରହଣ କରିଥିଲେ ।
ତାଙ୍କର ସାରସ୍ବତ ଅବଦାନ ଲାଗି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ ଓ ଗଙ୍ଗାଧର ମେହେର କବିତା ସମ୍ମାନ ସମ୍ମାନିତ ହୋଇଥିଲେ ହରପ୍ରସାଦ । ସାହିତ୍ୟ ଜଗତ ପ୍ରତି ତାଙ୍କର ଅନେକ ଉଲ୍ଲେଖନୀୟ ଅବଦାନ ରହିଛି । ତାଙ୍କ କବିତା ସଂକଳନ ମଧ୍ୟରେ ପିଙ୍କି କଥା(୧୯୭୬), ଏକା ଏକା ସନ୍ୟାସୀ(୧୯୮୧), ଅଥୟ ସୂର୍ଯ୍ୟ (୧୯୯୦), ଆୟୁଷ୍ମାନ ସମୟ(୧୯୯୫), ସବୁଅନ୍ଧାର ଆଜି ରାତିରେ(୧୯୯୬), ଜୀବନ ଜଙ୍ଘା(୨୦୦୪) ଓ ଅରଣ୍ୟରେ ଯେତେ ଦିନ (୨୦୦୭) ଅନ୍ୟତମ । କବିତା ସଂକଳନ ‘ନଷ୍ଟ ହୋଇଯାଇଥିବା ମୋହ’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ସେ ଜଣେ ସଫଳ ସ୍ତମ୍ଭକାର ଥିଲେ ଏବଂ ଓଡ଼ିଆ-ଇଂରାଜୀ ଭାଷାରେ ବହୁ ସାହିତ୍ୟ ସମାଲୋଚନାଧର୍ମୀ ପ୍ରବନ୍ଧ ରଚନା କରିଯାଇଛନ୍ତି । ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତ ପ୍ରତି ଏକ ଅପୂରଣୀୟ କ୍ଷତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ