ଭୁବନେଶ୍ବର: ଜଳ ଭଣ୍ଡାରରୁ ଜଳସ୍ତର କ୍ରମାଗତ ଭାବେ କମିବାରେ ଲାଗିଛି । ଏହାର ପ୍ରଭାବରେ ଜଳ ବିଦ୍ୟୁତ ଉତ୍ପାଦନରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ମୌସୁମୀ ବର୍ଷା ବିଳମ୍ବ ଯୋଗୁଁ ଏପରି ସ୍ଥିତି ଉପୁଜିଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।
ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, 'ରାଜ୍ୟରେ କମିଛି ଜଳଭଣ୍ଡାରର ଜଳସ୍ତର । ହିରାକୁଦରେ 630 ଫୁଟ ଜଳ ଧାରଣ କ୍ଷମତାଥିବା ବେଳେ ଏବେ 600.12 ଫୁଟ ଜଳସ୍ତର ରହିଛି । ମୌସୁମୀ ବର୍ଷା ବିଳମ୍ବ ଯୋଗୁଁ ଜଳ ଭଣ୍ଡାର ଉପରେ ଏହାର ପ୍ରଭାବ ପଡିଛି । ଫଳରେ ହୀରାକୁଦ, ରେଙ୍ଗାଲି, ଅପର ଇନ୍ଦ୍ରାବତୀ, ଅପରକୋଲାବ, କାଲିମେଳାରୁ ଜଳ ବିଦ୍ୟୁତ ଉତ୍ପାଦନ କମିଛି । ଅନ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଦ୍ୟୁତ ଶକ୍ତି ଉତ୍ପାଦନ କମ କରିବା ପାଇଁ କୁହାଯାଇଛି । ଜଳ ନୀତି ଅନୁସାରେ ଜଳସେଚନକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଥାଏ । ତା ପରେ ବିଦ୍ୟୁତ ଶକ୍ତି ପାଇଁ ଜଳ ଦିଆଯାଇଥାଏ । ଖରିଫ ପାଇଁ ଜଳ ଗଚ୍ଛିତ ରଖାଯାଇଛି ।'
ସେପଟେ ବ୍ୟାରେଜର ଗେଟ ଖୋଲିବା ଆରମ୍ଭ କରିଛି ଛତିଶଗଡ଼ । ଛତିଶଗଡ଼ କଲମା ବ୍ୟାରେଜର 66ରୁ 10 ଗେଟ 0.5 ମିଟର ଲେଖାଏଁ ଖୋଲିଛି । ସେହିପରି ସାରଡ଼ିହି ବ୍ୟାରେଜର 81ରୁ 11ଟା ଗେଟ 0.2 ମିଟର ଯାଏଁ ଖୋଲା ହୋଇଛି । ମିରନିର 81ରୁ 9 ଗେଟ 15.15 ମିଟର ଲେଖାଏଁ ଖୋଲା ହୋଇଛି । ବସନ୍ତପୁର ବ୍ୟାରେଜର 64 ଗେଟରୁ 15 ଗେଟ 0.15 ମିଟର ଯାଏଁ ଖୋଲା ହୋଇଛି । ତେବେ ବର୍ତ୍ତମାନ ହୀରାକୁଦରେ କମ୍ ପାଣି ଥିବାରୁ ଛତିଶଗଡ଼ ଛାଡିଥିବା ଜଳ ସେତେଟା ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।
ହୀରାକୁଦରୁ ପାଣି ଛଡ଼ା ଯିବା ସମୟରେ 14 ଜିଲ୍ଲାକୁ ସତର୍କ ସୂଚନା ଦିଆଯିବ । ହୀରାକୁଦରୁ ବରଗଡ଼ ମେନ କେନାଲ ଓ ଶାସନ ମେନ୍ କେନାଲରୁ ଆସନ୍ତାକାଲି(ବୁଧବାର) ଠାରୁ ଜଳସେଚନ ପାଇଁ ପାଣି ଛଡ଼ା ଯିବ । ଏଥିରୁ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର କିଛି ଅଂଶ ଉପକୃତ ହେବେ । ଛତିଶଗଡ଼ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ବୁର୍ଲା ମୁଖ୍ୟ ଯନ୍ତ୍ରୀ ଯୁଗ୍ମ ବୈଠକ ପାଇଁ ଅନୁରୋଧ କରିଥିଲେ । ପୂର୍ବରୁ ଏ ଦିଗରେ ମଧ୍ୟ ରାଜ୍ୟ ପକ୍ଷରୁ ଚିଠି ବି ହୋଇଛି । ହେଲେ ଏ ଯାଏଁ ସେନେଇ କୌଣସି ଉତ୍ତର ମିଳିନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।