ଭୁବନେଶ୍ବର: ରମଜାନ ବା ରମଦାନ(Ramadan 2022) ଇସଲାମିକ କ୍ୟାଲେଣ୍ଡରର ନବମ ମାସରେ ଏହା ପଡେ । ଏହି ମାସଟି ମୁସଲିମ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ପବିତ୍ର, ଦାନ ଓ ପୂଣ୍ଯର ମାସ ହୋଇଥାଏ । ତେଣୁ ମାସ ସାରା ଉପବାସ ରହି ନିଷ୍ଠାର ସହ ସଭିଙ୍କ ମଙ୍ଗଳ ମନାସି ଆଲ୍ଲାଙ୍କୁ ଆରାଧନା କରିଥାନ୍ତି ଇସଲାମ ଧର୍ମାବଲମ୍ବୀ ଲୋକେ ।
ସୂର୍ଯ୍ୟୋଦୟର ଦୁଇ ଘଣ୍ଟା ପୂର୍ବରୁ ସହରୀ ଖାଇ ଦିନସାରା ଉପବାସ ରହି ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ ଉପବାସ ଭାଙ୍ଗିଥାନ୍ତି । ମାସ ସାରା ଏହିପରି ବ୍ରତ ପାଳନର ଶେଷ ଦିନ ଅର୍ଥାତ ମାସର ୨୯ କି ୩୦ ଦିନରେ ଚାନ୍ଦ ଦେଖି ଇଦ୍ ମନାଇଥାନ୍ତି । ଆସୁଛି ପବିତ୍ର ଇଦ ପର୍ବ, ମେ ୩ ତାରିଖରେ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି । ଏହାକୁ ନେଇ ବେଶ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ୱର । ଭକ୍ତି ଶ୍ରଦ୍ଧା ଓ ନିଷ୍ଠାର ସହ ଇସଲାମିକ ଧର୍ମାବଲମ୍ବୀ ଏହି ମହୋତ୍ସବ ପାଳନକରୁ ଥିବାବେଳେ ଏନେଇ ପରିପାଟୀଠୁ ଆରମ୍ଭ କରି ଖାଦ୍ୟ ଯାଏଁ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଲାଣି ।
ଲଛା, କାଜୁ ଆଉ କିସମିସ୍ ଠାରୁ ଆରମ୍ଭ କରି ଅନେକ ଶୁଖିଲା ଖାଦ୍ୟର ପସରା ଖୋଲିଛି ୟୁନିଟ ୪ ମସଜିଦ ନିକଟରେ । ଏହାସହ ଲୁଙ୍ଗି, କୁର୍ତ୍ତା, ଟୋପି ସହ ଭଳିକି ଭଳି ଅତରର ସମ୍ଭାର ମଧ୍ୟ ଦେଖିବାକୁ ମିଳିଛି । ହେଲେ ଏସବୁ ଭିତରେ ବ୍ୟବସାୟୀ କିନ୍ତୁ ବ୍ଯବସାୟକୁ ନେଇ ଚିନ୍ତିତ । କାରଣ ଦୁଇ ବର୍ଷର କୋରୋନା କଟକଣାରେ କୋହଳ ହୋଇଥିଲେ ମଧ୍ୟ ପୂର୍ବୋପରି ବ୍ୟବସାୟ ହେଉନଥିବା କହିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ