ଭୁବନେଶ୍ବର: ଆଜି(ଗୁରୁବାର) ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନେଇ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ରହିଛି ନିର୍ଦ୍ଦେଶ । ଏହାଦ୍ବାରା ପୂରଣ ହେବ ଖାଲିଥିବା ପଦବୀ ।
ଆସନ୍ତା ମାସରେ ସରକାରଙ୍କ ତରଫରୁ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ନୈପୁଣ୍ୟତା (NAS) ପରୀକ୍ଷା କରିବା ଜାତୀୟ ଆଚିଭମେଣ୍ଟ ସର୍ଭେର ବ୍ୟାପକ ପ୍ରସ୍ତୁତି ନିମନ୍ତେ ପ୍ରମୁଖ ଶାସନ ସଚିବ ସାହୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ବିଦ୍ୟାଳୟଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ପଞ୍ଚାୟତିରାଜ ବିଭାଗ ଜରିଆରେ ଶ୍ରେଣୀ ଗୃହର ବିଦ୍ୟୁତିକରଣ, ଶୌଚାଳୟ ଏବଂ ଜଳଯୋଗାଣ ସୁବିଧା, ବିଦ୍ୟାଳୟ ଓ ଏହାର ଚତୁଃପାର୍ଶ୍ଵ ତଥା ଖେଳପଡ଼ିଆ ଆଦିକୁ ପରିଷ୍କାର କରିବା ଆଦି ସଂପର୍କରେ ଆଲୋଚନା ହୋଇଥିଲା ।
ଦୀର୍ଘଦିନ ପରେ ଅନେକ ସ୍କୁଲର ଜମିବାଡ଼ି ମାଲିକାନା ସମ୍ବନ୍ଧୀୟ କାଗଜପତ୍ର ଠିକ୍ ନଥିବାରୁ ଏଥି ନେଇ ରାଜସ୍ଵ ବିଭାଗ ଏବଂ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହ ଯୋଗାଯୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ଚଳିତ ମାସ ୩୧ ତାରିଖ ସୁଦ୍ଧା ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ କ୍ଷେତ୍ର ଅଧିକାରୀମାନଙ୍କ କୋଭିଡ୍-୧୯ର ଦ୍ଵିତୀୟ ଡୋଜ ଟିକାକରଣକୁ ସୁନିଶ୍ଚିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ମହାମାରୀ ଯୋଗୁଁ ଦୀର୍ଘଦିନ ଧରି ଛାତ୍ରଛାତ୍ରୀଙ୍କର ପାଠପଢ଼ା ବନ୍ଦ ଥିବା କାରଣରୁ ପିଲାମାନଙ୍କ ଶୈକ୍ଷିକ ସ୍ତର ଜାଣିବା ପାଇଁ ପ୍ରତ୍ୟେକ ସ୍କୁଲ ଖୋଲିବା ପରେ ଚଳିତ 27 ଅକ୍ଟୋବରରୁ ଏକ ସର୍ଭେ କରାଯିବ । ଚଳିତ ଶିକ୍ଷାବର୍ଷଠାରୁ FLN କାର୍ଯ୍ୟକୁ ବିଧିବଦ୍ଧ ରୂପେ ରଖିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟସ୍ତରରେ ଏହି କାର୍ଯ୍ୟକୁ ନିର୍ଦ୍ଦେଶକ SERT ଏବଂ ଓସେପା ତଦାରଖ କରିବେ । ଏଥି ସହିତ ସମଗ୍ର ଶିକ୍ଷାର କାର୍ଯ୍ୟକ୍ରମଗୁଡ଼ିକୁ ସଫଳତାର ସହିତ ପହଞ୍ଚାଇବାକୁ ହେଲେ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ କ୍ଲଷ୍ଟର ଶିକ୍ଷକମାନଙ୍କର ସମନ୍ବୟ ରହିବ । ଚଳିତ ବର୍ଷଠାରୁ ଲୋଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ଏଣୁ ବର୍ଷର ବିଭିନ୍ନ ସମୟରେ CBSE ଢାଞ୍ଚାରେ ପରୀକ୍ଷା କରାଯିବ । ଏହାର ବହୁଳ ପ୍ରଚାର ଏବଂ ପ୍ରସାର କରାଯିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାପକ ଭାବରେ ଖାଲି ପଡ଼ିଥିବା ସ୍ଥାନରେ ପଦୋନ୍ନତି ଦିଆଯାଇଛି । କିଛି ପଦୋନ୍ନତିପ୍ରାପ୍ତ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟରେ ଯୋଗ ଦେଇନାହାନ୍ତି ।
ଏହାକୁ ଦୃଷ୍ଟିରେ ରଖୁ ନୂତନ ଭାବେ ସୃଷ୍ଟି ହେଉଥିବା ଖାଲି ପଦବୀ ପୂରଣ ହେବାକୁ ସଚିବ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉଚୁଆଲ ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ