ଭୁବନେଶ୍ବର: ନିର୍ମାଣ କାର୍ଯ୍ୟ ସରଳୀକରଣ ପାଇଁ ଏକୀକୃତ ମାନଦଣ୍ଡ ଅନୁସୂଚୀ ଗ୍ରହଣ କରିବ ପୂର୍ବତଟ ରେଳପଥ । ପୋଲ ନିର୍ମାଣ କାର୍ଯ୍ୟ, ରେଳ ଧାରଣା ସିଭିଲ୍ ଇଞ୍ଜିନିୟରିଂ କାର୍ଯ୍ୟ (ପରମାନେଣ୍ଟ ୱେ ୱାର୍କ୍ସ) ଗୁଡିକର କାର୍ଯ୍ୟକାରିତା ପାଇଁ ପୂର୍ବତଟ ରେଳପଥ ଏକୀକୃତ ମାନଦଣ୍ଡ ଅନୁସୂଚୀ (USSOR) ଗ୍ରହଣ କରିବାକୁ ଯାଉଛି । ଏହି ପ୍ରକ୍ରିୟା ସମସ୍ତ ରେଳ ସିଭିଲ୍ ଇଞ୍ଜିନିୟରଙ୍କ ପାଇଁ ଯଥେଷ୍ଟ ଉପଯୋଗୀ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ।
ଏହା ନିର୍ମାଣ, ରକ୍ଷଣାବେକ୍ଷଣ, ପୋଲ କାର୍ଯ୍ୟ ଏବଂ ପରମାନେଣ୍ଟ ୱେ କାର୍ଯ୍ୟ ପାଇଁ ଉନ୍ନତମାନର ମାନଦଣ୍ଡ ସହିତ ମିତଵ୍ୟୟିତା, ସ୍ଥାୟୀତ୍ବ, ଗୁଣବତ୍ତା, ଉନ୍ନତ ସୌନ୍ଦର୍ଯ୍ୟ ଏବଂ ନିରାପତ୍ତା ପାଇଁ ମଧ୍ୟ ଉପଯୋଗୀ ହେବ । ଏହା ସହିତ ଶ୍ରମ ଏବଂ ସାମଗ୍ରୀର ମୌଳିକ ନିବେଶ ମୂଲ୍ୟ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।
ପୂର୍ବତଟ ରେଳପଥ ଏହାର ଅଧିକାର ଅଧୀନରେ ପ୍ରଥମ ୟୁନିଫାଏଡ୍ ଷ୍ଟାଣ୍ଡାର୍ଡ ସିଡ୍ୟୁଲ୍ ଅଫ୍ ରେଟ୍-19 (USSoR) ଗ୍ରହଣ କରିବାକୁ ପ୍ରସ୍ତୁତି ହୋଇଛି । ଏହି ପ୍ରକ୍ରିୟା ରେଳ ବିଭାଗର ସିଭିଲ୍ ଇଞ୍ଜିନିୟର୍ସଙ୍କ ଦ୍ବାରା ମଧ୍ୟ ଦାବି କରାଯାଇଥିଲା। ରେଳବାଇ ବୋର୍ଡ ସମସ୍ତ ଜୋନାଲ ରେଳବାଇ, ରେଳବାଇ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ (ପିଏସୟୁ) ଏବଂ ଉତ୍ପାଦନ ୟୁନିଟ୍ ଗୁଡିକୁ ନିର୍ମାଣ କାର୍ଯ୍ୟଗୁଡ଼ିକର କାର୍ଯ୍ୟକାରିତା ପାଇଁ ଉପରୋକ୍ତ ସୂଚୀ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ରେଳ ସଦନରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଏବଂ ଅନ୍ୟାନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ USSOR 2019କୁ ଉନ୍ମୋଚନ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ