ଭୁବନେଶ୍ବର: ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମିତ ସମସ୍ତ ନବଜାତ ଶିଶୁଙ୍କୁ ପୂର୍ବତଟ ରେଳପଥ ଦେଇଛି ଉପହାର । ଭାରତୀୟ ରେଳବାଇ ଦ୍ବାରା ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ଶିଶୁ ଜନ୍ମ ହେବା ଖୁସି ଖବର ମିଳିବା ପରେ ରେଳବାଇ ଏପରି ପଦକ୍ଷେପ ନେଇଛି । ପୂର୍ବତଟ ରେଳବାଇ ପକ୍ଷରୁ 3 ଜଣଙ୍କୁ ଦିଆଯାଇଛି 5 ହଜାର ଟଙ୍କା ଲେଖାଏଁ ଉପହାର । ଯାହାକି ଭାରତୀୟ ରେଳବାଇ ପାଇଁ ଏହା ଅତ୍ୟନ୍ତ ଶୁଭ ଖବର ।
ଏହି ଶ୍ରମିକ ସ୍ପେଶାଲ ଟ୍ରେନରେ ତିନୋଟି ନବଜାତ ଶିଶୁ ଜନ୍ମ ହୋଇଛନ୍ତି । ଉଭୟ ନବଜାତ ଶିଶୁ ଓ ସେମାନଙ୍କ ମାଆ ମାନଙ୍କୁ ରେଳବାଇ ପକ୍ଷରୁ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କୁ ସ୍ଥାନାନ୍ତର କରଯାଇଛି । ତିନୋଟି ଶିଶୁ ମଧ୍ୟରୁ ଦୁଇଟି ଟିଟିଲାଗଡ଼ ଠାରେ ଜନ୍ମଗ୍ରହଣ କରିଥିବା ବେଳେ ଗୋଟିଏ ବଲାଙ୍ଗୀର ଠାରେ ଜନ୍ମଗ୍ରହଣ କରିଛି । ସମସ୍ତ ନବଜାତ ଶିଶୁ ଓଡିଶାର ବଲାଙ୍ଗୀର ଜିଲ୍ଲାର ଅଟନ୍ତି ।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଶୁକ୍ରବାର ଘୋଷଣା କରି କହିଛନ୍ତି ଯେ ପୂର୍ବତଟ ରେଳପଥର ଅଧିକାରୀ ମାନେ ବ୍ୟକ୍ତିଗତ ହେଉ କିମ୍ବା ସ୍ବେଛାକୃତ ଭାବେ ରେଳପଥର ପରିସୀମା ମଧ୍ୟରେ ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ନବଜାତ ଶିଶୁ ମାନଙ୍କୁ ଉପହାର ପ୍ରଦାନ କରାଯିବ । ଏକ ଅଭିନବ ମନୋଭାବ ଗ୍ରହଣ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ନିଜେ ନବଜାତ ଶିଶୁଙ୍କ ପାଖକୁ ପାଞ୍ଚ ହଜାର ଟଙ୍କାର ଉପହାର ଦେଇଛନ୍ତି । ରେଳ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଭବିଷ୍ୟତରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଯଦି ଶିଶୁ ଜନ୍ମ ନିଅନ୍ତି ତେବେ ସ୍ବେଛାକୃତ ଭାବେ ସେମାନେ ମଧ୍ୟ ଉପହାର ପ୍ରଦାନ କରିବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ