ଭୁବନେଶ୍ବର: ପଦାରେ ପଡିଲା ବିଏମସିର ପାରିବାପଣିଆ। ଡ୍ରେନେଜ ବ୍ୟବସ୍ଥା ସୁଧାରିବା ନେଇ ବିଏମସିର ପାରିବାପଣିଆ ସମସ୍ତଙ୍କ ସାମ୍ନାକୁ ଆସିଛି। ଡ୍ରେନ ପାଣି ଓଭର ଫ୍ଲୋ ହୋଇ ବସ୍ତିରେ ପଶିବାରୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଯାହାକୁ ନେଇ ତାତିଛନ୍ତି ବସ୍ତି ବାସିନ୍ଦା ।
ଭୁବନେଶ୍ବରର ଭିଏସଏସ ନଗର ୧୭ ନଂ ୱାର୍ଡ ପଥରବନ୍ଧ ବସ୍ତିରେ ଘର ଭିତରେ ପଶିଲା ଡ୍ରେନ ପାଣି। ଘର ଭିତରେ 4 ନମ୍ବର ମୁଖ୍ୟ ନଳାପାଣି ପଶିବାରୁ ରାସ୍ତା ରୋକ କରିଛନ୍ତି ଭୁବନେଶ୍ବର ପଥରବନ୍ଧ ବସ୍ତିବାସିନ୍ଦା । ଏନେଇ ବିଏମସି ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ବି କରିଛନ୍ତି ।
ତେବେ ସମାଧାନର ବାଟ ନଫିଟିବାରୁ ଭିଏସଏସ୍ ନଗର ଫ୍ଲାଏ ଓଭରକୁ 4 ଘଣ୍ଟା ଧରି ଅବରୋଧ କରିଥିଲେ ବସ୍ତିବାସିନ୍ଦା । ପରେ ବିଏମସି ଉତ୍ତର ଜୋନାଲ ଡେପୁଟି କମିଶନର ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନକାରୀ ରାସ୍ତା ଉପରୁ ହଟିଥିବା ଜଣାପଡିଛି ।
ପଥରବନ୍ଧ ବସ୍ତି ବାସିନ୍ଦାଙ୍କ ଅଭିଯୋଗ ଯେ, ତାଙ୍କ ବସ୍ତି ଦେଇ ଯାଇଥିବା 4 ନମ୍ବର ଡ୍ରେନରେ ଏକ ଲୁହା ଜାଲି ଲାଗିଛି । ତେଣୁ ଜାଲି ଯୋଗୁଁ ନଳାପାଣି ଠିକରେ ନିଷ୍କାସନ ହେଉନି । ଓଭର ଫ୍ଲୋ ହୋଇ ବସ୍ତି ଭିତରେ ପାଣି ନିୟମିତ ଭାବେ ପଶୁଛି । ତେବେ ଆଜି ବିଏମସି ପକ୍ଷରୁ ଜାଲିସଫା କରାଯାଇଛି ଏବଂ ଆଗାମୀ ଦିନମାନଙ୍କରେ ନିୟମିତ ସଫା ହେବ ବୋଲି ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନରୁ ହଟିଛନ୍ତି ବସ୍ତିବାସିନ୍ଦା।
ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ